କରୋନାର ଭୟଙ୍କର ରୂପ : ଗୋଟିଏ ଆମ୍ବୁଲାନ୍ସରେ ବୁହା ହେଉଛି ୩ ଶବ, ଶ୍ମଶାନରେ ଲମ୍ବା ଲାଇନ୍

ଅନ୍ତିମ ସଂସ୍କାର କରିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ସମ୍ପର୍କୀୟ

ଲକ୍ଷ୍ନୌ : ମହାମାରୀର ଭୟଙ୍କର ରୂପ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ଶବକୁ ମିଳୁନି ଶ୍ମଶାନ । ଶବ ନେବାକୁ ଆମ୍ବୁଲାନ୍ସ ମିଳୁନି, ଗୋଟିଏ ଗୋଟିଏ ଆମ୍ବୁଲାନ୍ସରେ ୩ରୁ ଚାରିଟି ଶବ ବୁହା ହେଉଛି । କରୋନା ଜନିତ ମୃତ୍ୟୁ ନେଇ ସରକାରୀ ତଥ୍ୟ କିଛି କହୁଥିବା ବେଳେ ବୈକୁଣ୍ଠ ଧାମ ଓ ଅନ୍ୟ ଶ୍ମଶାନ ଘାଟର ଦୃଶ୍ୟ ଆଉ କିଛି କହୁଛି । ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ଲାଇନରେ ଛିଡ଼ା ହେବା ସହ ୧୨ରୁ ୧୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି ।  ଲକ୍ଷ୍ନୌରେ ଏପରି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ।

ସରକାରୀ ତଥ୍ୟ ଅନୁସାରେ ଏପ୍ରିଲ ମାସରେ ପ୍ରତିଦିନ ୫ରୁ ୮ ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଉଛନ୍ତି । କିନ୍ତୁ ବୈକୁଣ୍ଠ ଧାମରେ ପ୍ରତିଦିନ ୩୦ରୁ ଅଧିକ ଶବ ଅନ୍ତିମ ସଂସ୍କାର ହେଉଥିବା ବେଳେ ଗୁଲାଲା ଶ୍ମଶାନ ଘାଟରେ ପ୍ରତିଦିନ ୨୦ ଶବର ଅନ୍ତିମ ସଂସ୍କାର କରାଯାଉଛି । ଏପରି ସ୍ଥଳେ ପ୍ରଶ୍ନ ଉଠିବା ସ୍ୱାଭାବିକ କରୋନା ତଥ୍ୟରେ କିଛି ଗଡ଼ବଡ଼ି ରହିଛି କି ?

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଏକ ଏପ୍ରିଲରେ ୨ ଜଣ, ୨ରେ ୯ ଜଣ, ୩ ରେ ୬ ଜଣ , ୪ରେ ୮ ଜଣ, ୫ରେ ୫ ଜଣ , ୬ ରେ ୭ ଜଣ, ୭ରେ ୬ ଜଣ ଓ ୮ରେ ୧୧ ଜଣ ପ୍ରାଣ ହରାଇଥିଲେ । ତଥ୍ୟ ଅନୁସାରେ  ୧ ଏପ୍ରିଲରୁ ୮ ଏପ୍ରିଲ ମଧ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ଘଟିଛି ୫୬ , ଅନ୍ୟପଟେ ଶ୍ମଶାନ ଘାଟର ଚିତ୍ର କିଛି ଭିନ୍ନ କହୁଛି । ଲକ୍ଷ୍ନୌ ସ୍ଥିତ ବୈକୁଣ୍ଠ ଧାମର ବିଦ୍ୟୁତ ଶବଦାହ ଗୃହରେ ପ୍ରତିଦିନ ୨୫ରୁ ୩୦ ଜଣ କୋଭିଡରେ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରାଯାଉଛି । ବୈକୁଣ୍ଠ ଧାମରେ ଶବଦାହ କରିବାକୁ ଧାଡି ଲାଗୁଛି । ଅନେକ ସମୟରେ ଦେଖିବାକୁ ମିଳୁଛି ସମ୍ପର୍କୀୟମାନେ ମୃତଦେହ ବି ଚିହ୍ନି ପାରୁନାହାନ୍ତି । ଅନ୍ୟପଟେ ବର୍ତ୍ତମାନ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଶବଦାହ ଗୃହରେ ମଧ୍ୟ ଶବ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେହିପରି ଗୁଲାଲା ଶ୍ମଶାନ ଘାଟରେ ପ୍ରତିଦିନ ୨୦ରୁ ଅଧିକ ଶବର ଅନ୍ତିମ ସଂସ୍କାର କରାଯାଉଛି । ର୍ପୂବରୁ ଏଠାରେ ଦୈନିକ ୨ରୁ ୩ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଶବ ସଂସ୍କାର କରାଯାଉଥିଲା ।

ସେପଟେ  ମୃତଦେହକୁ ସଂସ୍କାର ପାଇଁ ଶ୍ମଶାନରେ ଜାଗାର ଅଭାବ ଦେଖାଦେଇଛି। ଗୁଜରାଟର ସୁରତରେ ଏଭଳି ପରିସ୍ଥିତି ଉପୁଜିଛି। ଗତ କିଛି ଦିନ ହେଲା ସୁରତର ବିଭିନ୍ନ ଶ୍ମଶାନର ମୃତଦେହକୁ ସଂସ୍କାର କରିବା ପାଇଁ ସମ୍ପର୍କୀୟମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଶ୍ମଶାନ ବାହାରେ ସେମାନେ ଟୋକନ ଧରି ବସି ରହୁଛନ୍ତି। ସମ୍ପର୍କୀୟମାନେ ୫ରୁ ୬ଘଣ୍ଟା ଅପେକ୍ଷା କରୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ମୃତକଙ୍କୁ ସଂସ୍କାର କରିବା ପାଇଁ ସମ୍ପର୍କୀୟମାନେ ନିକଟରେ ଥିବା ବର୍ଦ୍ଦୋଲି ସହରକୁ ନେଉଛନ୍ତି । ମୃତକଙ୍କ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଗତକାଲି ସୁରତରେ ସହରରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୁରତ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

 

You might also like