ଶିଶୁ ଶରୀରରେ ପ୍ରତିରୋପଣ ହେଲା ମାଙ୍କଡ ହାର୍ଟ, ଆଉ ତା’ ପରେ…

ପୁରାଣ ବର୍ଣ୍ଣିତ ସେଇ କାହାଣୀର ପୁନରାବୃତ୍ତି। ସାମାନ୍ୟ ଭିନ୍ନ ଭାବରେ। ଗଣେଶଙ୍କ ଉପରେ ରାଗି  ଶିବ ତାଙ୍କ ମୁଣ୍ଡ କାଟିଦେଲେ। ଶେଷରେ ପାର୍ବତୀଙ୍କ ଆକୁଳ ଅନୁନୟ ପାଖରେ ହାର ମାନି ଗଣେଶଙ୍କୁ ଜୀବନ୍ୟାସ ଦେବାକୁ ସ୍ଥିର କଲେ। କିନ୍ତୁ ସେତେବେଳକୁ ଗଣେଶଙ୍କ ମୁଣ୍ଡ ନ ଥିଲା। ଅନନ୍ୟୋପାୟ ହୋଇ ଶିବ ଶେଷରେ ହାତୀର ମୁଣ୍ଡ ଲଗାଇ ଗଣେଶଙ୍କୁ  ଜୀବନ୍ୟାସ ଦେଲେ ।

ଠାକୁରଙ୍କ କଥା ବୋଲି ଭୟରେ ହୁଏତ ଏଇ ଗପକୁ  ବିଶ୍ୱାସ କରିବାକୁ ଆମେ ବାଧ୍ୟ ହୋଇଛେ। କିନ୍ତୁ ଏହା ଅବିଶ୍ୱାସଯୋଗ୍ୟ ନୁହେଁ। ବିଜ୍ଞାନ ଏହି କାମକୁ ସମ୍ଭବ କରି ଦେଖାଇଛି। ଶିବ ଗଣେଶଙ୍କ ଶରୀରରେ ହାତୀର ମୁଣ୍ଡ ଲଗାଇଥିଲେ, ହେଲେ ବିଜ୍ଞାନ ଲଗାଇଛି ମଣିଷ ଶରୀରରେ ମାଙ୍କଡର ହାର୍ଟ। ତା ପୁଣି ଆଜି ନୁହେଁ, ୩୫ ବର୍ଷ ପୂର୍ବେ। ହେଲେ ତା’ ପରେ କ’ଣ ହେଲା ଆସନ୍ତୁ ଜାଣିବା।

୧୯୮୪ ମସିହା ଅକ୍ଟୋବର ୧୪ ତାରିଖର ଘଟଣା। କାଲିଫର୍ଣ୍ଣିଆର ଏକ ହସ୍‌ପିଟାଲ୍‌ରେ  ଶିଶୁଟିଏ ଜନ୍ମ ନେଲା।  ନାଁ ରଖାଗଲା ଷ୍ଟେଫନୀ ଫେ ବେଇକ୍ୱାୟର। ଫାୟ ନାମରେ ଡାକୁଥିଲେ ବାପା-ମା‘। ହେଲେ ଜନ୍ମର କିଛି ସମୟ ପରେ ବାପା-ମା‘ଙ୍କ ମୁହଁରୁ ହସ ଲିଭିଗଲା। କାରଣ ଫାୟ ଥିଲା ମାତ୍ର କେଇ ଦିନର ଅତିଥି। ଫାୟ ହାଇପୋପ୍ଲାଷ୍ଟିକ ଲେଫ୍ଟ ହାର୍ଟ ସିଣ୍ଡ୍ରମରେ ଆକ୍ରାନ୍ତ ଥିଲା। ଏହି ରୋଗ ଏକ ଭୟଙ୍କର ହୃଦ୍‌ରୋଗ ଯାହା ଜନ୍ମବେଳେ ଶିଶୁଙ୍କ ଦେହରେ ଦେଖା ଯାଇଥାଏ। ଏହି ରୋଗରେ ଶିଶୁ ମାତ୍ର ୨ ସପ୍ତାହରୁ ଅଧିକ ଦିନ ବଞ୍ଚି ପାରେନି। ହେଲେ ଫାୟ ଥିଲା ଏହାର ବ୍ୟତିକ୍ରମ। ଫାୟ ୨ ସପ୍ତାହରୁ ଅଧିକ ଦିନ ବଞ୍ଚିଲା ସିନା, ଭଗବାନ ତାକୁ ସହାୟ ହେଲେନି।

୩୫ ବର୍ଷ ତଳେ ଫାୟର ଅପରେସନ ହୋଇଥିଲା। ଡା.ଲିଓନାର୍ଡୋ ବେଲିଙ୍କ କହିବା ଅନୁଯାୟୀ, ଶିଶୁର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଜରୁରୀ। ଫାୟ ମା’ଙ୍କ ପାଖରେ ୨ଟି ବିକଳ୍ପ ଥିଲା। ଡାକ୍ତରଖାନାରେ ପୁଅର ଚିକିତ୍ସା କରିବେ ନଚେତ୍‌ ପୁଅକୁ ନେଇ ଘରକୁ ଫେରିଯିବେ ଏବଂ ମୃତ୍ୟୁର ଦିନକୁ ଅପେକ୍ଷା କରିବେ।

ଏସବୁ ଭିତରେ କିନ୍ତୁ ଡା.ବେଲିଙ୍କ ମୁଣ୍ଡରେ ଅନ୍ୟ କିଛି ଚିନ୍ତାର ତର୍ଜମା ଚାଲିଥିଲା।  ସେ ଜାଣିଥିଲେ, ହାର୍ଟକୁ ଛାଡ଼ି ଦେଲେ ଫାୟର ଆଉ ସବୁ ପାର୍ଟ ଠିକ୍‌ ଅଛି। ତେଣୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କଲେ ପିଲା ବଞ୍ଚିଯିବାର ଅନେକ ସମ୍ଭାବନା ରହିଛି। ହେଲେ ଏତେ ଛୋଟ ଶିଶୁ ପାଇଁ କିଏ ଦେବ ହାର୍ଟ ? ତା ଛଡ଼ା ଏତେ ଛୋଟ ପିଲାର ହାଟ ଅପେରଶନ ବି କେବେ କେହି କରି ନାହାନ୍ତି। ତେଣୁ ଅପରେଶନ ମଧ୍ୟ ରିସ୍କ।

ଏସବୁ ପରିସ୍ଥିତିକୁ ଦେଖି ଡା.ବେଲି ଚିନ୍ତା କଲେ, ଯଦି ପିଲାଟିର ଶରୀରରେ ଅନ୍ୟ ପ୍ରଜାତିର ହାର୍ଟ ଲଗାଯାଏ ! ଡା.ବେଲି କାଲିଫର୍ଣ୍ଣିଆର ଲୋମା ଲିଣ୍ଡା ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ରିସର୍ଚ୍ଚ କରୁଥିଲେ। ରିସର୍ଚ୍ଚ ସମୟରେ ସେ ପ୍ରାୟ ୧୫୦ରୁ ଅଧିକ ଛେଳି, ମାଙ୍କଡ ଇତ୍ୟାଦିଙ୍କର heart ଅପରେସନ କରିଥିଲେ।  ୧୯୬୪ରେ ଅବଶ୍ୟ ମଣିଷ ଶରୀରରେ ଅନ୍ୟ ପ୍ରଜାତିର ହାର୍ଟ ଲଗା ଯାଇଥିଲା। କିନ୍ତୁ ଡାକ୍ତର ସେଥିରେ ସଫଳ ହୋଇ ନ ଥିଲେ। ଶେଷରେ ରୋଗୀର ମୃତ୍ୟୁ ଘଟିଥିଲା।

 

ଯାହାହେଉ, ଫାୟ ଶରୀରରେ ଅନ୍ୟ ପ୍ରଜାତି ଜୀବଙ୍କର ହାର୍ଟ ଲଗାଇବା ପାଇଁ ଡା.ବେଲିଙ୍କୁ ଅନୁମତି ମିଳିଗଲା। ସେତେବେଳକୁ ଫାୟ ୧୨ ଦିନର ଶିଶୁ। ବେଳକୁ ବେଳ ତାର ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥାଏ। ଡାକ୍ତରମାନେ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ୧୯୮୪ ଅକ୍ଟୋବର ୨୬ ତାରିଖ। ଫାୟର ଅପରେସନ ହେଲା। ମାଙ୍କଡ(ଲଙ୍ଗୁର)ର ହାର୍ଟ ଫାୟ ଶରୀରରେ ଲାଗିଲା। ଆଉ ତା’ ପରେ ଯାହା ହେଲା ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତରମାନେ। ଫାୟର ହୃଦ୍‌ସ୍ପନ୍ଦନ ବଢିଲା।

ଡାକ୍ତରମାନଙ୍କ ପାଇଁ ଏହାଠାରୁ ବଳି ବଡ ସଫଳତା କିଛି ନ ଥିଲା। ରାତାରାତି ବେବି ଫାୟ ଖବରକାଗଜର ମୁଖ୍ୟ ଖବର ପାଲଟିଗଲା। ଫାୟ ପାଇଁ ସବୁଆଡୁ ଆଶୀର୍ବାଦର ଛୁଅ ଛୁଟିଲା। ଅପରେସନ ପରେ ଫାୟର ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧାରିବାକୁ ଲାଗିଲା। ହେଲେ ଏହି ଖୁସି ଅଳ୍ପ କେଇ ଦିନ ପାଇଁ ଥିଲା। ଅପରେସନର ୧୪ ଦିନ ପରେ ଫାୟର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ନଭେମ୍ବର ୧୫ ତାରିଖ ଫାୟର ହୃଦ ସ୍ପନ୍ଦନ ସବୁଦିନ ପାଇଁ ବନ୍ଦ ହୋଇଗଲା।

ଯହା ବି ହେଉ, ଫାୟ ପାଇଁ ଡାକ୍ତରଙ୍କ ଏହି ପ୍ରଚେଷ୍ଟା ମେଡିକାଲ ସାଇନ୍ସକୁ ଏକ ନୂଆ ଦିଶା ଦେଖାଇ ଦେଇ ଗଲା।

 

You might also like