ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ।

ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଲକ୍ଷ୍ନୌ CBI ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି। ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଦୋଷମୁକ୍ତ ହୋଇଛନ୍ତି। ସେହପରି ଉମା ଭାରତୀ, ବିନୟ କଟିୟାର, କଲ୍ୟାଣ ସିଂହ ମଧ୍ୟ ଦୋଷମୁକ୍ତ ହୋଇଛନ୍ତି।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି,  ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ। ବାବ୍ରୀ ମସ୍‌ଜିଦ୍‌ ଭଙ୍ଗାକୁ ପୂର୍ବ ଯୋଜନାପ୍ରସ୍ତୁତ ବୋଲି କୁହାଯାଇ ପାରିବ ନାହିଁ। ଏହା ସାମୟିକ ଆବେଗ ହୋଇପାରେ ମାତ୍ର ପୂର୍ବ ଯୋଜନାପ୍ରସ୍ତୁତ ନୁହେଁ।

ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତାର କିଛି ପ୍ରମାଣ ନାହିଁ। ଏପରିକି ପ୍ରମାଣ ପାଇଁ ଦାଖଲ ଭିଡିଓ ଟ୍ୟାମ୍ପରିଂ ହୋଇଥିବା କହିଛନ୍ତି କୋର୍ଟ।

ଆଜି ରାୟ ଶୁଣାଇବା ବେଳେ କୋର୍ଟରେ ଉପସ୍ଥିତ ଥିଲେ ସାଧୁ ରିତମ୍ଭରା, ସାକ୍ଷୀ ମହାରାଜା, ବିନୟ କଟିଆର, ଚମ୍ପତ ରାୟ ବଂଶଲ। ହେଲେ ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଏଲ.କେ ଆଡଭାନୀ, ଉମା ଭାରତୀ, ମୁରଲୀ ମନୋହର ଯୋଶୀ । କିନ୍ତୁ ବିଭିନ୍ନ କାରଣରୁ କୋର୍ଟରେ ଉପସ୍ଥିତ ନଥିଲେ ଉମା ଭାରତୀ ।

ଆଡଭାନୀ ଏବଂ ଯୋଶୀଙ୍କ ବୟସାଧିକ କାରଣରୁ ଏମାନେ କୋର୍ଟରେ ଉପସ୍ଥିତ ହୋଇନଥିଲେ । ଏହି ମାମଲାରେ ସିବିଆଇ ୩୫୧ ଜଣଙ୍କୁ ସାକ୍ଷୀ ଭାବେ ଗ୍ରହଣ କରିଥିବା ବେଳେ ୬ଶହ ଡକ୍ୟୁମେଣ୍ଟ ଉପସ୍ଥାପନା କରିଥିଲା। ଏହି ମାମଲାରେ ପ୍ରଥମେ ୪୯ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସିବିଆଇ ।

ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ପରେ ସେମାନଙ୍କ ବିରୋଧରେ ଲାଗିଥିବା ମାମଲା ପ୍ରତ୍ୟାହାର ହୋଇଥିଲା। ଅନ୍ୟ ୩୨ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ସିବିଆଇ ତଦନ୍ତ କରି କୋର୍ଟଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲା । ଏପଟେ ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାର ରାୟ ପ୍ରକାଶ ପାଇଥିବାରୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଯୋଧ୍ୟାରେ ୨ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି।

ସୂଚନାଥାଉ କି, ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦ୍ ଭଙ୍ଗା ଘଟଣା ଘଟିଥିଲା। ୨୮ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି।