ବାବା ଆମ୍ତେଙ୍କ ନାତୁଣୀ ଶୀତଲ ଆମ୍ତେଙ୍କ ଆତ୍ମହତ୍ୟା
ମହାରାଷ୍ଟ୍ର: ପାରିବାରିକ କଳହରୁ ସାମାଜିକ କର୍ମୀ ବାବା ଆମତେଙ୍କର ନାତୁଣୀ ଶୀତଲ ଆମ୍ତେ କରଜଗି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ୱାରୋରାରେ ରହୁଥିବା ତାଙ୍କର ପରିବାର ମଧ୍ୟରେ କଳହ ହେବାରୁ ଶୀତଲ ଆତ୍ମହତ୍ୟା କରିଥିବା କୁହାଯାଉଛି।
୩୯ ବର୍ଷୀୟା ଶୀତଲ ଜଣେ ଡାକ୍ତର ହେବା ସହିତ ଜେଜେବାପା ଆମ୍ତେଙ୍କ ଦ୍ୱାରା ପ୍ରତିଷ୍ଠିତ ମହାରୋଗୀ ସେବା ସମିତ((ଏମ୍ଏସ୍ଏସ୍)ର ସିଇଓ ଥିଲେ। ଏହି ସଂଗଠନ ଚଳାଇବା ନେଇ ପରିବାର ଲୋକଙ୍କ ମଧ୍ୟରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ସୋମବାର ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଆନନ୍ଦନଗର ଠାରେ ଥିବା ତାଙ୍କ ଘରେ ଶୀତଲଙ୍କ ମୃତଦେହ ମିଳିଥିଲା। ଯଦିଓ ଆତ୍ମହତ୍ୟାର କାରଣ ନେଇ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ, ତେବେ ସ୍ଥାନୀୟ ରିପୋର୍ଟ ଅନୁସାରେ ଶୀତଲ ବିଷାକ୍ତ ଇଞ୍ଜେକ୍ସନ୍ ନେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୀତଲଙ୍କ ମୃତଦେହ ଶବ ବ୍ୟବଚ୍ଛେଦ ପଠାଯିବା ସହିତ ଫୋରେନ୍ସିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
କିଛି ସପ୍ତାହ ତଳେ ଶୀତଲ ଫେସ୍ବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭଡିଓରେ ମହାରୋଗୀ ସେବା ସମିତି ପରିଚାଳନାରେ ତ୍ରୁଟି ହୋଇଛି ବୋଲି ସେ କହିଥିଲେ। ସଂଗଠନ ପରିଚାଳନାରେ ତ୍ରୁଟି ପାଇଁ ସେ ଏମ୍ଏସ୍ଏସ୍ର ସଦସ୍ୟ ଥିବା ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଦାୟୀ କରିଥିଲେ। ପରେ ଭିଡିଓଟି ଫେସ୍ବୁକୁର ଡିଲିଟ କରିଦେଇଥିଲେ ଶୀତଲ। ଏହାର ଦୁଇଘଣ୍ଟା ପରେ ଶୀତଲଙ୍କ ବାପାମା ଓ ସମ୍ପର୍କୀୟ ଅନ୍ୟ ଏକ ଭିଡିଓରେ ପୋଷ୍ଟ କରି ଶୀତଲ ଚାପରେ ଥିବାରୁ ଏପରି ଭିଡିଓ ପୋଷ୍ଟ କରିଥିଲେ ବୋଲି କହିଥିଲେ।
କିଏ ବାବା ଆମ୍ତେ ?
ବିଖ୍ୟାତ ସାମାଜିକ କର୍ମୀ ବାବା ଆମ୍ତେଙ୍କୁ ଭାରତର ଆଧୁନିକ ଯୁଗର ଗାନ୍ଧି ବୋଲି କୁହାଯାଏ। ସମାଜ ସେବା ପାଇଁ ତାଙ୍କୁ ରାମନ୍ ମ୍ୟାଗସେସେ ଆୱାର୍ଡ ସହିତ ସହିତ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। କୁଷ୍ଠ ରୋଗରେ ପୀଡ଼ିତ ଲୋକଙ୍କ ପୁନର୍ବାସ ଏବଂ ସଶକ୍ତିକରଣ ଦିଗରେ ସେ ଅନେକ କାର୍ଯ୍ୟ କରିଛନ୍ତି। ୨୦୦୮ରେ ଏହି ମହାନ ବ୍ୟକ୍ତିଙ୍କ ଦେହାନ୍ତ ହୋଇଥିଲା।