ଅଟୋରେ ଅକ୍ସିଜେନ୍‌ ଲଗାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଅଟୋ ଡ୍ରାଇଭର

ସାହାଯ୍ୟ ପାଇଁ ସ୍ତ୍ରୀର ଗହଣା ବିକିଦେଲେ...

ନୂଆଦିଲ୍ଲୀ: କରୋନା ମହାମାରୀ କେତେ ଯେ, ଲୋକଙ୍କର ଜୀବନ ନେଲାଣି ତାହାର ସଠିକ୍‌ ହିସାବ କାହାପାଖରେ ନାହିଁ। ଅଦୃଶ୍ୟ ମହାମାରୀ କବଳରେ ଛଟ୍‌ପଟ୍‌ ହୋଇ ଦୈନଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିଏ ବାପାକୁ ହରାଇଲାଣି ତ ଆଉ କିଏ ମାଆକୁ ଆଉ କିଏ ନିଜ ପୁଅ, ଝିଅକୁ ହରାଇସାରିଲାଣି। ଏତେ ହିନସ୍ତା କରିବା ପରେ ବି ଶାନ୍ତ ହୋଇନାହିଁ ମହାମାରୀ। ଦୈନଦିନ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ଅଦୃଶ୍ୟ ମହାମାରୀ। ସ୍ଥିତି ଏମିତି ହେଲାଣି ଯେ, ଅକ୍ସିଜେନ୍‌ ପାଇଁ ଅଧିକାଂଶ ଲୋକଙ୍କ ଯାଉଛି ଜୀବନ।

ଆଉ କରୋନା ସଙ୍କଟ ଭିତରେ ଅନେକ ଲୋକ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ, ଦିନକୁ ୨ଶହ-୩ଶହ ଟଙ୍କା ରୋଜଗାର କରୁଥିବା ଭୋପାଳର ଫରହତୱାଜାରେ ରହୁଥିବା ଜାଭେଦ ଦେବଦୂତ ସାଜିଛନ୍ତି। ଅଟୋ ଡ୍ରାଇଭର ଜାଭେଦ୍ ମାନବିକତାର ଏପରି ଏକ ପରିଚୟ ସୃଷ୍ଟି କରିଛନ୍ତି, ଯାହା ବର୍ତ୍ତମାନ କେବଳ ରାଜ୍ୟ ନୁହେଁ ସାରା ଦେଶରେ ଉଦାହରଣ ପାଲଟିଛି। ମହାମାରୀ ବ୍ୟାପୁଥିବା ସମୟରେ ନିଜର ଅଟୋକୁ ଆମ୍ବୁଲାନ୍ସର ରୂପ ଦେଇଛନ୍ତି ଜାଭେଦ୍‌। କାରଣ ନିଜ ଅଟୋରେ କରୋନା ରୋଗୀଙ୍କ ପାଇଁ ରଖିଛନ୍ତି ଅକ୍ସିଜେନ୍‌।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଅକ୍ସିଜେନ୍‌ ଏବଂ ଅଟୋ ଚଳାଇବା ପାଇଁ ଟଙ୍କା କମ ପଡ଼ିଲା ସେହି ସମୟରେ ଜାଭେଦ ନିଜ ପତ୍ନୀଙ୍କ ଅଳଙ୍କାର ବିକି ଦେଇଥିବାର କଥା ସାମ୍ନାକୁ ଆସିଛି। ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି ବୋଲି ଜାଭେଦ୍ କହିଛନ୍ତି। ଅଟୋରେ ଅକ୍ସିଜେନ ସିଲିଣ୍ଡର ରଖିବା ଦ୍ୱାରା ଅଟୋରେ ମାଗଣାରେ ଯାତ୍ରା କରୁଥିବା ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦେଉଛନ୍ତି।

ବର୍ତ୍ତମାନ ସମୟରେ ଦେଶରେ ଦୈନିକ ସଂକ୍ରମଣ ହାର ୪ ଲକ୍ଷ ମୁହାଁ ହେଲାଣି। ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ କରୋନା ରୋଗୀଙ୍କୁ ଅକ୍ସିଜେନ୍‌ ବି ମିଳୁନାହିଁ। ଯାହାଦ୍ୱାରା ସେମାନେ ପ୍ରାଣ ହରାଉଛନ୍ତି। ଆଉ ଏତିକି ବେଳେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ଜାଭେଦ୍‌। ବିନା କାହାର ସାହାଯ୍ୟରେ ନିଜ ଅଟୋରେ ହିଁ ଅକ୍ସିଜେନ୍‌ର ବ୍ୟବସ୍ଥା କରିଛନ୍ତି ତାହା ପୁଣି ବିନା ମୂଲ୍ୟରେ।

ତେବେ ଆଜି ଦେଶରେ ସର୍ବାଧିକ ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ସର୍ବାଧିକ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି । ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ  ଆକ୍ଟିଭ କେସ୍  ୩୧ ଲକ୍ଷ ୭୦ ହଜାର ୨୨୮ରହିଥିବାବେଳେ ସୁସ୍ଥ ହେଲେଣି ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ଜଣ

You might also like