ଅଷ୍ଟ୍ରେଲିଆ ମହିଳା ବଖାଣିଲେ କାଶ୍ମୀର ଅନୁଭୂତି, ୨ ମାସ ବନ୍ଧକ ରଖି ଦିଆଯାଉଥିଲା ଏମିତି ନିର୍ଯାତନା
ମେଲାବର୍ନ:୨୦୦୪ ମସିହାରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କୁ ଦୁଇ ମାସ ଧରି କାଶ୍ମୀରରେ ବନ୍ଧକ ରଖାଯାଇଥିଲା। କାଶ୍ମୀରର ଜଣେ ବ୍ୟକ୍ତି ତାଙ୍କୁ ଦୁଇମାସ ଧରି ଏକ ଘରୋଇ ଡଙ୍ଗାରେ ବନ୍ଧକ ରଖିଥିଲେ। ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ। ବ୍ୟକ୍ତି ଜଣକ ଦୈନିକ ଏକାଧିକବାର ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ଏମିତି ହୃଦୟଥରା ଅଭିଯୋଗ ଆଣିଛନ୍ତି ଜଣେ ଅଷ୍ଟ୍ରେଲୀୟ ମହିଳା ତଥା ପୂର୍ବତନ ସର୍ଫର୍ ଷ୍ଟାର କେରମନ୍ ଗ୍ରୀନ୍ଟି । କେରମନଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା।
ସ୍ଥାନୀୟ ଖବର କାଗଜ ସୂତ୍ରରୁ ପ୍ରକାଶ ଯେ, କେରମାନ ଜଣେ ଅନ୍ତରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ସର୍ଫର। ସେ ତାଙ୍କର ଏକ ପୁସ୍ତକରେ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଦେଶ ପରିଭ୍ରମଣ ତାଙ୍କର ଏକ ସଉକ୍। ତେଣୁ ସେ ୨୦୦୪ରେ ଭାରତ ଭ୍ରମଣରେ ଆସିଥିଲେ। କାଶ୍ମୀର ବୁଲିବାକୁ ଆସିଥିବାବେଳେ ତାଙ୍କର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇଥିଲା। ବ୍ୟକ୍ତି ଜଣକ ତାଙ୍କୁ ହୋଟେଲରେ ନ ରହି ତାଙ୍କ ହାଉସ୍ବୋଟରେ ରହିବା ପାଇଁ କହିଥିଲେ। କେରମାନ ତାଙ୍କ କଥା ମାନି ହାଉସ୍ବୋଟରେ ରହିଥିଲେ। କିଛି ଦିନ ପରେ ତାଙ୍କୁ ସେ ହାଉସ୍ବୋଟରେ ବନ୍ଧକ ରଖି ଦେଇଥିଲେ। ହେଲେ ସେ ଏକଥା ଜାଣି ପାରି ନଥିଲେ।
ଦିନେ ସେ ହିମାଚଳର ଧର୍ମଶାଳା ଯିବା ପାଇଁ ବସ୍ ଧରିବାକୁ ବାହାରୁଥିଲେ, ହଠାତ୍ ବ୍ୟକ୍ତିଜଣକ ତାଙ୍କୁ ଆସି ଅଟକାଇଥିଲେ। ହେଲେ ସେ ଯେତେବେଳେ ଯିବାପାଇଁ ଜିଦ୍ କଲେ ସେତେବେଳେ ତାଙ୍କୁ ନିସ୍ତୁକ ପିଟି ଥିଲେ ଏବଂ ବାନ୍ଧି ଦେଇଥିଲେ। କେରମନଙ୍କ ପୁସ୍ତକ A Dangerous Pursuit of Happinessରେ ଲେଖିଛନ୍ତି, ‘ମୋତେ ଲାଗୁଥିଲା ଯେମିତି ଏହି ବୋଟରୁ ମୁଁ ଆଉ ବାହାରକୁ ଯାଇ ପାରିବି ନାହିଁ।’
ସେ ଆହୁରି ଲେଖିଛନ୍ତି, ବ୍ୟକ୍ତିଜଣକ ଦିନରେ ଏକାଧିକ ବାର ମୋ ସହ ଦୁଷ୍କର୍ମ କରନ୍ତି। ସେ ଏବଂ ତାଙ୍କର କିଛି ବନ୍ଧୁଙ୍କ ଭିତରେ ହେଉଥିବା କଥାବାର୍ତ୍ତାରୁ ମୁଁ ଅନୁମାନ କରୁଥିଲି ସେମାନେ ମୋ ପରି ଅନେକ ଯୁବତୀଙ୍କୁ ଏପରି ବନ୍ଧକ ରଖିଛନ୍ତି। ତିନୋଟି ସନ୍ତାନର ମା’ କେରମାନ କହିଛନ୍ତି- ‘ଦିନେ ବ୍ୟକ୍ତି ଜଣକ ଇଂରାଜୀର ଏକ କୋରାନ ନେଇ ଆସିଥିଲେ ଏବଂ ମୋତେ ଜବରଦସ୍ତ ପଢିବା ପାଇଁ କହିଥିଲେ। ଏହା ପରେ ମୋତେ ଦୈନିକ ୫ ଥର ଜବରଦସ୍ତ ନମାଜ ପଢିବାକୁ ବାଧ୍ୟ କରିଥାନ୍ତି। ସେଠାରେ ମୁସ୍ଲିମ ମହିଳାଙ୍କ ପରି ମୋତେ ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା।‘
ଏସବୁ ପରେ ଥରେ କେରମନ ବହୁ ସାହାସ ସଞ୍ଚୟ କରି ପଳାଇବାକୁ ବସିଥିଲେ। ହେଲେ ତାଙ୍କର ବୋଟକୁ ନେଇ ଭାରତୀୟ ସେନା ମୁତୟନ ଥିବା ଇଲାକରେ ବ୍ୟକ୍ତି ଜଣକ ରଖି ଦେଇଥିଲେ ଏବଂ ଚେତାବନୀ ଦେଇ କହିଥିଲେ, ଯଦି ଲୁଚି ପଳାଇବାକୁ ଉଦ୍ୟମ କରିବ ତେବେ ସେନା ଆତଙ୍କବାଦୀ ଭାବି ଗୁଳି କରିଦେବେ।
ଏହା ପରେ କେରମାନ ବୋଟ ବାହାରକୁ ଆସିବାର ସମସ୍ତ ଆଶା ଛାଡ଼ି ଦେଇଥିଲେ। ଏହି ସମୟରେ ତାଙ୍କର ଜଣେ ସାଙ୍ଗ ତାଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଥିଲେ ଏବଂ ଏ ନେଇ ସେ ଭାରତରେ ଥିବା ଅଷ୍ଟ୍ରେଲିଆ ଦୂତାବାସ ସହ ଯୋଗାଯୋଗ କରିଥିଲେ।କେରମାନଙ୍କୁ ଖୋଜାଯାଉଛି ବୋଲି ଉକ୍ତ ବ୍ୟକ୍ତି ଜାଣିବା ପରେ ତାଙ୍କୁ ଘରୁ ଫୋନ କରି ଟଙ୍କା ମାଗିବା ପାଇଁ କହିଥିଲେ। ହେଲେ କାରମନ ଫୋନରେ ଟଙ୍କା ମାଗିବା ବାହନାରେ ଘରଲୋକଙ୍କୁ ସେ ରହୁଥିବା ଲୋକେସନର ଠିକଣା ଦେଇଥିଲେ।
ଏହାପରେ ପୋଲିସ ଉକ୍ତ ହାଉସ୍ବୋଟ ଉପରେ ଚଢଉ କରି ତାଙ୍କୁ ଉଦ୍ଧାର କରିଥିଲା। ଉକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ହେଲେ କେହି ସାକ୍ଷୀ ନ ଥିବାରୁ ୬ ମାସରେ ସେ ଜେଲରୁ ମୁକ୍ତି ପାଇଥିଲେ। ତେବେ ଏହି ଘଟଣା ପରେ ସେ ବହୁତ ଡରି ଯାଇଥିଲେ ଏବଂ ଭାରତରେ ଆଉ ଗୋଟିଏ ବି ଦିନ ରହିବାକୁ ଚାହୁଁ ନ ଥିଲେ। ତେଣୁ କେସ୍ ନ ଲଢି ସେ ଅଷ୍ଟ୍ରେଲିଆ ଚାଲି ଆସିଥିଲେ ବୋଲି ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।