ସାବଧାନ ! ଶିଶୁଙ୍କ ପାଇଁ କ୍ଷତିକାର ହୋଇପାରେ ମାସ୍କ
ନୂଆଦିଲ୍ଲୀ: କରୋନା ଭାଇରସ୍ ସ୍ଥିତି ଯୋଗୁ ମାସ୍କ ବ୍ୟବହାରକୁ ନେଇ ସମୟ ସମୟରେ ନିଷ୍ପତ୍ତି ବଦଳିଛି। ପ୍ରଥମେ କେବଳ ସ୍ୱାସ୍ଥ୍ୟକର୍ମୀ, କରୋନା ଲକ୍ଷଣ ଥିବା ବ୍ୟକ୍ତି କିମ୍ବା କୌଣସି ଫ୍ଲୁଜନିତ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ମାସ୍କ ପିନ୍ଧିବାକୁ କୁହାଯାଇଥିଲା।
ପରେ ମାସ୍କ ପିନ୍ଧିବା ଦ୍ୱାରା ଅନେକାଂଶରେ ସଂକ୍ରମଣକୁ ରୋକାଯାଇପାରିବା ବୋଲି ରିପୋର୍ଟ ଆସିବା ପରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କଲେ ସରକାର। ତେବେ ସ୍ୱାଶ ରୋଗୀ ଓ ଛୋଟ ପିଲାଙ୍କ ପାଇଁ ଏହା ବାଧ୍ୟତାମୁଳକ ନଥିଲା।
ଏବେ ମାସ୍କ ପିନ୍ଧିବାକୁ ନେଇ ଆଉ ଏକ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। ମାସ୍କ ପିନ୍ଧିବା ଦ୍ୱାର ଅନେକ ଲୋକଙ୍କ ଠାରେ ଅମ୍ଳଜାନର ମାତ୍ରା କମୁଥିବାର ଦେଖାଯାଇଛି। ଅନେକ ସମୟ ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଅକ୍ସିଜେନ୍ ମାତ୍ରା କମୁଥିବା ଜାପାନ ଗବେଷଣା କରି କହିଛି। କେବେଳ ସେତିକି ନୁହେଁ, ସିନ୍ଥେଟିକ୍ରେ ତିଆରି ହୋଇଥିବା ମାସ୍କ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମୁହଁରେ ବିଭିନ୍ନ ପ୍ରକାର ଦାଗ ଦେଖାଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି।
ମାସ୍କ ପିନ୍ଧିବା ପରେ ଏଭଳି ସମସ୍ୟା ସାମ୍ନାକୁ ଆସିବାରୁ ଏବେ ସୂତା କପଡ଼ାରେ ତିଆରି ସିମ୍ପଲ ଟ୍ରିପଲ୍ ଲେୟାର ଯୁକ୍ତ N-95 ଏବଂ N-99 masks ଓ DIY ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ତେବେ ଏହି ମାସ୍କଗୁଡ଼ିକ କରୋନା ସଂକ୍ରମିତ ଆଶଙ୍କା କମାଇବାରେ ସହାୟକ ହୋଇପାରେ ସତ କିନ୍ତୁ ଛୋଟ ଶିଶୁମାନଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ। ଏନେଇ ଜାପାନ୍ ଶିଶୁରୋଗ ସଂଘ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଦୁଇ ବର୍ଷରୁ କମ୍ ଶିଶୁଙ୍କୁ ମାସ୍କ ନ ଲଗାଇବାକୁ ପରାମର୍ଶ ଦେଇଛି ଜାପାନ୍ ଶିଶୁରୋଗ ସଂଘ।
ଗବେଷଣା କରୁଥିବା ଜାପାନର ଡାକ୍ତରୀ ଟିମ୍ଙ୍କ କହିବାନୁସାରେ, ଶିଶୁଙ୍କ ଶ୍ୱାସନଳୀ ପତଳା ହୋଇଥାଏ। ତେଣୁ ମାସ୍କ ଲଗାଇବା ଦ୍ୱାରା ସେମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ। ଫଳରେ ସେମାନଙ୍କ ହାର୍ଟ ଉପରେ ଅଧିକ ଚାପ ପଡ଼ିଥାଏ। ଏଥିରେ ସେମାନଙ୍କୁ ଅଣନିସ୍ୱାସୀ ଲାଗିବା ସହିତ ବାନ୍ତି ମଧ୍ୟ ହୋଇଥାଏ। ଦୁଇ ବର୍ଷର ଶିଶୁ ମାସ୍କ ପିନ୍ଧିବା ଦ୍ୱାରା ନିମୋନିଆ ହେବାର ଆଶଙ୍କା ରହିଛି ବୋଲି ଜାପାନ ଶିଶୁରୋଗ ସଂଘ ସତର୍କ କରିଛି। କେବଳ ସେତିକି ନୁହେଁ, ମାସ୍କ ପିନ୍ଧିବାଦ୍ୱାରା ଶିଶୁର ଗରମ ନିଶ୍ୱାସ ସହଜରେ ବାହାରକୁ ଯାଇପାରୁ ନଥିବାରୁ ଏଥିରେ ହୃଦଘାତର ଆଶଙ୍କା ମଧ୍ୟ ରହିଛି ବୋଲି ସତର୍କବାଣୀ ଶୁଣାଇଛି ଜାପାନ୍ ଶିଶୁରୋଗ ସଂଘ।
ତେବେ ମାସ୍କ ପିନ୍ଧିବା ନେଇ ଜାପାନ୍ର ଏହି ଗବେଷଣା ପୂର୍ବରୁ ଆମେରିକାର ସିଡିସି (ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍) ଏବଂ ଆମେରିକାନ୍ ଆକାଡେମୀ ଅଫ୍ ପେଡିଆଟ୍ରିକ୍ ମଧ୍ୟ ସମାନ୍ ପରାମର୍ଶ ଦେଇଛି। ଦୁଇ ବର୍ଷ କିମ୍ବା ତାଠାରୁ କମ୍ ପିଲାଙ୍କୁ ମାସ୍କ ନ ଲଗାଇବାକୁ ବାରଣ କରାଯାଇଛି। ସେହିଭଳି ଭାରତରେ ବାହାରକୁ ବାହାରିବା ମାତ୍ର ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଥିବା ବେଳେ ଛୋଟ ପିଲାମାନଙ୍କୁ ମାସ୍କ ବ୍ୟବହାର ନେଇ କୌଣସି ସ୍ପେସିଆଲ୍ ଗାଇଡ୍ ଲାଇନ୍ ନାହିଁ।