ଲଦାଖରେ ଚୀନ ସେନା ପ୍ରତ୍ୟାହାର ନେଇ ଆସିଲା ନୂଆ ସାଟେଲାଇଟ୍ ଫଟୋ

ଲଦାଖ: ବର୍ତ୍ତମାନର ଭାରତକୁ ୧୯୬୨ ବେଳର ଭାରତ ଭାବିଥିଲା ଚୀନ। ବାରମ୍ବାର ନାଲି ଆଖି ଦେଖାଇ ଭାରତର ଭୂଭାଗ ଦଖଲ୍‌ର ଲୋଭ ରଖିଥିବା ଚୀନ ଶେଷରେ ନାଚାର ହୋଇ ନାକ କାନ ଆଉଁସି ଫେରିବାକୁ ବାଧ୍ୟ ହୋଇଛି। ଚୀନ୍‌ ସେନା ପ୍ରତ୍ୟାହାର ନେଇ ନୂଆ ସାଟେଲାଇଟ୍‌ ଇମେଜ୍‌ରୁ ଜଣାପଡ଼ିଛି।

ଲଦାଖ ଅଞ୍ଚଳରେ ଚୀନ ଯେଉଁସବୁ ସେନା ଶିବିର, ସାମରିକ ଯାନ, ମୋଟର ବୋଟ୍, ଜେଟିସ୍(ପାଣି ମଝିରେ ତିଆରି ହୋଇଥିବା ରାସ୍ତା) ଓ ଷ୍ଟୋରେଜ୍ ଫେସିଲିଟ୍‌ ତିଆରି କରିଥିଲା ସେସବୁକୁ ଆଉ ନୂଆ ସାଟେଲାଇଟ୍ ଇମେଜ୍‌ରେ ଦେଖାଯାଉ ନାହିଁ। ଉଭୟ ପକ୍ଷ ଧୀରେ ଧୀରେ ନିଜ ନିଜ ସ୍ଥାନକୁ ଫେରୁଥିବା ସାଟେଲାଇଟ୍‌ ଫଟୋରେ ସ୍ପଷ୍ଟ ହୋଇଛି।

ଗତକାଲି ରେକର୍ଡ ହୋଇଥିବା ସାଟେଲାଇଟ୍‌ ଫଟୋରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍ ଟିଏସ୍‌ଓ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରୁଥିବା ଦେଖାଯାଉଛି। ତା ସହିତ ପାଙ୍ଗୋଙ୍ଗ୍ ହ୍ରଦ କୂଳର ଉତ୍ତର ପଟକୁ ଚୀନ ନିର୍ମାଣ ମଧ୍ୟ ଧ୍ୱଂଶ କରାଯାଇଥିବା ସାଟେଲାଇଟ୍ ଫଟୋରେ ସ୍ପଷ୍ଟ ଦେଖାଯାଉଛି। ଫାର୍ମ ମାକ୍ସର ଟେକ୍ନୋଲୋଜି କ୍ୟାପ୍‌ଚର୍ କରିଥିବା ଏହି ଫଟୋରେ ଉଭୟ ଦେଶ ସର୍ତ୍ତ ମୁତାବକ ସୈନ୍ୟ ପ୍ରତ୍ୟାହାର କରୁଥିବା ଦେଖାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫିଙ୍ଗର ୫ ଅଞ୍ଚଳକୁ ନିଜ ଅଞ୍ଚଳ ଦର୍ଶାଇ ଚୀନ ଯେଉଁ ମ୍ୟାପ୍ ପ୍ରସ୍ତୁତ କରିଥିଲା ଓ ଯେଉଁ ସାଇନ୍‌ ଲଗାଇଥିଲା ତାକୁ ମଧ୍ୟ ଚୀନ ସେନା ଉଠାଇ ନେଇଛି। ଏହି ଅଞ୍ଚଳରେ ଚାଇନା ଏକ ମ୍ୟାପ୍ ତିଆରି କରି ତା ମାତୃଭାଷା ମାଣ୍ଡାରିନ୍‌ରେ ଲେଖିଥିଲା ‘ଝୋଙ୍ଗଗୌ’ ଯାହାର ଓଡ଼ିଆ ଅର୍ଥ ହେଲା ମଧ୍ୟ ସାମ୍ରାଜ୍ୟ। ପ୍ରାଚୀନ ଚୀନ ଅଞ୍ଚଳ ପାଇଁ ବ୍ୟବହୃତ ହେଉଥିବା ଏହା ହେଲା ଏକ ବାକ୍ୟାଂଶ। ଅର୍ଥାତ୍ ଫିଙ୍ଗର ୫ ଅଞ୍ଚଳକୁ ଚୀନ ନିଜର ଅଞ୍ଚଳ ବୋଲି ଦର୍ଶାଇ ମ୍ୟାପ୍ ପ୍ରସ୍ତୁତ କରିଥିଲା।

ଫିଙ୍ଗର ୪ ଓ ୮ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଇନା ସାମରିକ ଯାନବାହନ ସହିତ ସେନା ଶିବିର ପ୍ରସ୍ତୁତ କରିଥିଲା। ତେବ ଚୁକ୍ତି ମୁତାବକ ଏସବୁକୁ ଉଠାଇ ନେଇଛି ଚୀନ। ନୂଆ ଫଟୋରେ ଚୀନ ବୋଟ୍‌ କମ୍ବା ଜେଟିଗୁଡ଼ିକ ଦେଖାଯାଉ ନାହିଁ। ତେଣୁ ଫିଙ୍ଗର ଅଞ୍ଚଳରୁ ଚୀନ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିନେଇଥିବା କୁହାଯାଉଛି।


ସୂଚନା ଥାଉକି, ଭାରତ ଓ ଚୀନ ମଧ୍ୟରେ ବିବାଦର କାରଣ ହୋଇଥିବା ଏହି ବିବାଦୀୟ ଅଞ୍ଚଳଟି ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ରହିଛି। ଏହି ସ୍ଥାନକୁ ୮ ଟି ଫିଙ୍ଗର୍‌ରେ ବିଭକ୍ତ କରାଯାଇଛି। ଆଉ ଭାରତ ଫିଙ୍ଗର ୮ ପର୍ଯ୍ୟନ୍ତ ଅଞ୍ଚଳ ଦାବି କରୁଛି। ତେବେ ଫାଙ୍ଗୋଙ୍ଗ
ହ୍ରଦ ଲମ୍ବ ଭାବରେ ଲାଗୁଥିବା ପାହାଡ଼ିଆ ଅଞ୍ଚଳକୁ ସାମରିକ ଭାଷାରେ ଫିଙ୍ଗର ଏରିଆ କୁହାଯାଉଛି।

ଭାରତ ଚାଇନା ପରସ୍ପର ସହଯୋଗ କରି ପର୍ଯ୍ୟାକ୍ରମେ ସେନା ପ୍ରତ୍ୟାହାର ପାଇଁ ବୁଝାମଣା ହୋଇଛି। ଚୀନ ଫିଙ୍ଗର୪ରୁ ୮ ପର୍ଯ୍ୟନ୍ତ ଫେରିଆସିବ ଓ ଭାରତ ପୁଣିଥରେ ତାର ପୂର୍ବସ୍ଥାନ ଫିଙ୍ଗର ୩ ନିକଟରେ ଥିବା ଧାନ ସିଂହ ଥାପା ପୋଷ୍ଟକୁ ଫେରିବ ଆସିବାକୁ ଚୁକ୍ତି ହୋଇଥିବା ସୂଚନା ମିଳିଛି।

You might also like