ସାବାସ ଶ୍ରଦ୍ଧା : ଏମିତି ଝିଅ ସଭିଙ୍କୁ ମିଳୁ

ମାତ୍ର ୧୧ ବର୍ଷ ବୟସରେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ, ଏବେ ମାସିକ ଆୟ ୬ ଲକ୍ଷ

ମୁମ୍ବାଇ : ସୁନା ଝିଅ ଶ୍ରଦ୍ଧା । ବାପାଙ୍କ ବ୍ୟବସାୟକୁ ବଢ଼ାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମହାରାଷ୍ଟ୍ରର ଝିଅ । ଦିନ ରାତି କଠିନ ପରିଶ୍ରମ କରି ପାଠପଢ଼ା ସହ ଘରର ଅଚଳାବସ୍ଥା ଦୂର କରିବାରେ ଆଜି ସେ ସକ୍ଷମ ହୋଇ ପାରିଛନ୍ତି । ସବୁ ବାଧାବିଘ୍ନକୁ ଆଡ଼େଇ ତଥା ସମାଜର ଚିରାଚରିତ ବିଚାରଧାରାରେ ପରିବର୍ତ୍ତନ ଆଣି ଏବେ ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ରୂପରେ ନାମ କମାଇ ପାରିଛନ୍ତି ।

ମହାରାଷ୍ଟ୍ରର ଅହମଦନଗର ଠାରୁ ୬୦ କିମି ଦୂରରେ ଅବସ୍ଥିତ ଏକ ଗାଁ ନିଧୋଜ । ଏବଂ ଏଠାରେ ୧୦ ବର୍ଷ ହେଲା ଏକ ଡାଏରୀ ଫାର୍ମ ଚଳାଉଛନ୍ତି ଶ୍ରଦ୍ଧା ଧୱନ । ଜଣେ ଝିଅ ହୋଇ ସୁଦ୍ଧା ସେ ନିଜେ ଗାଈଙ୍କ ଠାରୁ କ୍ଷୀର ଦୁହିଁବା ସହ ନିଜେ ବାଇକ ଚଳାଇ ଗାଁ ଗାଁ କ୍ଷୀର ବିକ୍ରି କରୁଛନ୍ତି । କେବଳ ଏତିକି ନୁହେଁ ନିଜ ଫାର୍ମରେ ଥିବା ଗାଈଙ୍କ ସମସ୍ତ ଦାୟିତ୍ୱ ନେବା ସହ ତାଙ୍କୁ ଚାରା ବି ଦିଅନ୍ତି । ମାତ୍ର ୪ରୁ ୫ ଟି ଗାଈରୁ ଆରମ୍ଭ କରିଥିବା ଏହି ବ୍ୟବସାୟ ଏବେ ଏତେ ବଢ଼ିଯାଇଛି ଯେ ତାଙ୍କ ପାଖରେ ଏବେ ୮୦ରୁ ଅଧିକ ଗାଈ ଅଛନ୍ତି । ଏବଂ ପ୍ରତି ମାସରେ ସେ ଏଥିରୁ ୬ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି ।

ଶ୍ରଦ୍ଧା ଏକ ସାଧାରଣର ପରିବାରର ଝିଅ । ତାଙ୍କ ବାପା ପୂର୍ବରୁ ଗାଈ କିଣାବିକାର ବ୍ୟବସାୟ କରୁଥିଲେ । ତେବେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ଏହାର ପ୍ରଭାବ ବ୍ୟବସାୟ ଉପରେ ପଡ଼ିଥିଲା । ଶ୍ରଦ୍ଧାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବା ବେଳେ ସେ ବାପାଙ୍କ ବ୍ୟବସାୟର ମଙ୍ଗ ଧରିଥିଲେ । ଧୀରେ ଧୀରେ ବାପାଙ୍କ ଠାରୁ କାମ ଶିଖିବା ସହ ବାପାଙ୍କ ସହ କିଣାବିକା ସ୍ଥାନକୁ ଯାଇ ବିଭିନ୍ନ ପ୍ରଜାତିର ଗାଈ ସମ୍ପର୍କରେ ଜାଣିପାରିଥିଲେ ।

ଜଣେ ଝିଅ ହୋଇଥିବାରୁ ଏହି କାମ କରିବାକୁ ଟିକିଏ ଅସହଜ ମନେ ହେଉଥିବା ଶ୍ରଦ୍ଧା କହିଛନ୍ତି । ହେଲେ ମୁଣ୍ଡ ଉପରେ ପରିବାରର ଭାର ଥିବା ହେତୁ ତାଙ୍କୁ ବାପାଙ୍କ ବ୍ୟବସାୟକୁ ଆଗକୁ ବଢ଼େଇବାକୁ ପଡ଼ିଥିଲା । ୨୦୧୨-୧୩ରେ ଶ୍ରଦ୍ଧାଙ୍କ ଉପରେ ଘରର ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଦେଲେ ତାଙ୍କ ବାପା । ତେବେ ବାପାଙ୍କ ବ୍ୟବସାୟ ନକରି ଟିଭିଏ ଭିନ୍ନ ଚିନ୍ତାଧାରା ନେଇ ସେ ୪ରୁ ୫ଟି ଗାଈ କିଣି ନିଜର ଡାଏରୀ ଫାର୍ମ ଆରମ୍ଭ କରିଥିଲେ । ଆର୍ଥିକ ସମ୍ବଳ ନଥିବାରୁ କୌଣସି ସହାୟକ ନରଖି ସେ ନିଜେ ସମସ୍ତ କାମ କରୁଥିଲେ । ସକାଳ ହେବା ମାତ୍ରେ ଗାଈଙ୍କୁ ଚାରା ଦେବା ଠାରୁ ଆରମ୍ଭ କରି ତାଙ୍କର ରକ୍ଷଣାବକ୍ଷେଣ ଦାୟିତ୍ୱ ନିଜେ ସମ୍ଭାଳୁଥିଲେ । ନିଜେ ଗାଈ ଦୁହିଁ ଘର ଘର ବାଣ୍ଟୁଥିଲେ ।

କାମ କରିବା ସହ ପାଠପଢ଼ା ବି ଜାରି ରଖିଥିଲେ ଶ୍ରଦ୍ଧା । ପ୍ରଥମେ ପ୍ରଥମେ ଅସୁବିଧା ହେଉଥିଲେ ହେଁ ଧୀରେ ଧୀରେ କାମ ସହ ପାଠପଢ଼ାକୁ ସମାନ୍ତରାଳ ଭାବେ ସମ୍ଭାଳିନେଲେ । ୨୦୧୫ରେ ଦଶମ ପାସ୍ କରିଥିଲେ ଶ୍ରଦ୍ଧା । ଏବେ ସେ ଫିଜିକ୍ସରେ ମାଷ୍ଟର କରୁଛନ୍ତି । କଠିନ ପରିଶ୍ରମ କରି ଧୀରେ ଧୀରେ ବ୍ୟବସାୟକୁ ବଢ଼ାଇଛନ୍ତି ଶ୍ରଦ୍ଧା । ଏବେ ତାଙ୍କ ପାଖରେ ୮୦ରୁ ବି ଅଧିକ ଗାଈ ଅଛନ୍ତି । ପ୍ରତିଦିନ ପାଖାପାଖି ୪୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ଏବେ ବୋଲେରୋରେ କ୍ଷୀର ଡେଲିଭରି କରୁଛନ୍ତି । ଶ୍ରଦ୍ଧା ଆଜି ପ୍ରମାଣିତ କରି ଦେଖାଇଛନ୍ତି ଅସମ୍ଭବ ବୋଲି କିଛି ନାହିଁ । ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ ।

You might also like