• translate
Minati Mishra

ମୈଦୁଗୁରି: ଆତଙ୍କବାଦୀ ସଂଗଠନ ବୋକୋ ହରାମ (Boko Haram) ପୁଣି ଥରେ ନାଇଜେରିଆରେ ରଚିଛନ୍ତି ନରସଂହାର।  ଜାତିସଂଘ ସୂଚନା ଅନୁଯାୟୀ, କଟ୍ଟର ଇସଲାମ ସଂଗଠନ ବୋକୋ ହରାମର ହତ୍ୟାକାରୀମାନେ  ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ନରସଂହାର କରିନାହାନ୍ତି, ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ  ନିରୀହ ଲୋକଙ୍କୁ ସର୍ବସାଧାରଣରେ ହତ୍ୟା କରିବାପରେ  ମହିଳାମାନଙ୍କୁ ଉଠାଇ ନେଇଛନ୍ତି।

ନାଇଜେରିଆରେ ମିଳିତ ଜାତିସଂଘର ମାନବିକ ସଂଯୋଜକ ଏଡୱାର୍ଡ କାଲନ୍ କହିଛନ୍ତି,  ବୋକୋ ହରାମ ଅତି କମ୍‌ରେ ୧୧୦ ଜଣଙ୍କୁ  ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ମୁଖ୍ୟ ସହର ମୈଦୁଗୁରି ନିକଟ କୋଶୋବେରେଲ ଘଟିଛି।

କାଲନ୍ କହିଛନ୍ତି, ହତ୍ୟାକାରୀମାନେ ଧାନ କ୍ଷେତରେ କାମ କରୁଥିବା ଲୋକଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ମୃତ୍ୟୁ ସଂଖ୍ୟା ୪୩ ଥିଲା।  ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ସାଧାରଣ ଲୋକଙ୍କ ଉପରେ ଆତଙ୍କୀଙ୍କର ଏପରି ଆକ୍ରମଣକୁ ସେ ନିନ୍ଦା କରିଛନ୍ତି।

ଅଲ ଜଜିରା ରିପୋର୍ଟ ଅନୁଯାୟୀ, ପ୍ରଥମେ  ଶ୍ରମିକଙ୍କୁ ବାନ୍ଧି ଦିଆଯାଇଥିଲା। ପରେ ସେମାନଙ୍କ ଗଳା କାଟି ଦିଆଯାଇଥିଲା। ଏହି ଆକ୍ରମଣକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁଖାରୀ ନିନ୍ଦା କରିଛନ୍ତି।

ଏହି ହତ୍ୟାକାଣ୍ଡରେ ସମଗ୍ର ଦେଶ ଆହତ ହୋଇଥିବା ସେମାନେ କହିଛନ୍ତି। ଏହି ଭୟଙ୍କର ଆକ୍ରମଣରେ ବଞ୍ଚିଥିବା ଲୋକଙ୍କୁ ସାହାଯ୍ୟ କରିଥିବା ମିଲିସିଆ ନେତା ବାବାକୁରା କୋଲୋ କହିଛନ୍ତି ଯେ ୪୩ରୁ ଅଧିକ ଲୋକଙ୍କୁ ଗଳା କାଟି ହତ୍ୟା କରାଯାଇଛି।

କୋଲୋଙ୍କ କହିବା ଅନୁଯାୟୀ, ଏହି କାମ ବୋକୋ ହରାମ ସଂଗଠନ କରିଛି। ଏହି ଅଞ୍ଚଳରେ ଉକ୍ତ ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି। ମୃତକମାନେ ସୋକୋଟୋ ରାଜ୍ୟର ଶ୍ରମିକ ଥିଲେ। ସେମାନେ ଉତ୍ତର-ପୂର୍ବ ଅଞ୍ଚଳକୁ  କାମ ଖୋଜିବାକୁ ଯାଇଥିଲେ।

ଅନ୍ୟ ଜଣେ ମିଲିସିଆ ଇବ୍ରାହିମ ଲିମାନଙ୍କ ଅନୁଯାୟୀ, କ୍ଷେତରେ କାମ କରିବା ପାଇଁ ୬୦ ଜଣ କୃଷକଙ୍କ ସହ ଚୁକ୍ତି କରାଯାଇଥିଲା। କାମ କରୁଥିବା ସମୟରେ ସେମାନଙ୍କୁ ହତ୍ୟା କରାଯାଇଥିଲା।  ସମସ୍ତ ମୃତଦେହକୁ ଜବରମାରି ଗ୍ରାମକୁ ନିଆଯାଇଛି। ସେଠାରେ ସେମାନଙ୍କୁ ସମାଧି ଦିଆଯିବ।  ୨୦୦୯ପରଠାରୁ ଜିହାଦି ବିବାଦରେ ପ୍ରାୟ ୩୬ ହଜାର ଲୋକ ପ୍ରାଣ ହରାଇ ସାରିଲେଣି।  ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

 

Other Stories