ନୂଆଦିଲ୍ଲୀ: କଡ଼ ଲେଉଟାଇ ପୁଣି ମାଡ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ପାଖାପାଖି ୨୫ ହଜାର ଆକ୍ରାନ୍ତ। ଏହାସହ ମହାମାରୀ ନେଇଛି ୧୪୦ ଜଣଙ୍କ ଜୀବନ। ସଂକ୍ରମଣ ବଢିବା ସହ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ହ୍ରାସ ପାଇଛି। ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁ ଏହି ୫ ରାଜ୍ୟରେ ସ୍ଥିତି ବେକାବୁ ହେଲାଣି। ସଂକ୍ରମଣ ବଢୁଥିବା ବେଳେ ବିମାନ ଯାତ୍ରୀଙ୍କ ପାଇଁ କଠୋର ହୋଇଛନ୍ତି DGCA। ଏୟାରପୋର୍ଟରେ କି ବିମାନ ଭିତରେ ମାସ୍କ ନପିନ୍ଧିଲେ ବା କରୋନା ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ବାରମ୍ବାର ସତର୍କ କରିବା ପରେ ଯାତ୍ରୀ ଯଦି ନିୟମ ନମାନନ୍ତି ତେବେ ତାଙ୍କୁ ବିମାନରେ ଯାତ୍ରା କରିବାକୁ ଦିଆଯିବ ନାହିଁ। ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯିବ ଯଦି ବିମାନ ଉଡ଼ାଣ ଭରିବା ପରେ ଯାତ୍ରୀ ନିୟମ ଉଲ୍ଲଂଘନ କଲେ, ତାଙ୍କୁ ବିଶୃଂଖଳିତ ଯାତ୍ରୀ ଭାବେ ଧରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ଓଡ଼ିଶାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣାର ଆଜି ବର୍ଷେ ପୁରିଛି। ତେବେ ଏଇ ବର୍ଷେ ଭିତରେ ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ୩ ଲକ୍ଷ ୩୮ ହଜାରରୁ ଅଧିକ ବ୍ୟକ୍ତି ମହାମାରୀ ହାବୁଡ଼ରେ ପଡ଼ିଛନ୍ତି। ୩ ଲକ୍ଷ ୩୫ ହଜାରରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇଛନ୍ତି। ୧୯୧୮ ଜଣ ପ୍ରାଣ ହରାଇଛନ୍ତି। ଆଜି ରାଜ୍ୟରେ ୬୫୧ ଆକ୍ଟିଭ କେସ୍ ଥିବା ବେଳେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୫ ଜଣ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସଂକ୍ରମଣ ସେତେଟା ବଢିନଥିଲେ ବି ସତର୍କ ରହିବାକୁ କହିଛନ୍ତି ରାଜ୍ୟସରକାର। ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି ରେଷ୍ଟୁରାଣ୍ଟ ଭଳି ଇଣ୍ଡୋର ଗ୍ୟାଦରିଂ ଉପରେ ନଜର ରଖିବା ଆବଶ୍ୟକ। ଏହାସହ ସଂକ୍ରମିତ ଚିହ୍ନଟ ହେବା ମାତ୍ରେ କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ ଓ କଣ୍ଟେନମେଣ୍ଟ ଆଦି ପଦକ୍ଷେପ ନେଲେ ନେଡିଗୁଡ଼ କହୁଣିକୁ ବୋହିବା ଆଗରୁ ରୋକି ହେବ।

ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରାଯାଉଛି। ଏହାକୁ ଦେଖି ପଦକ୍ଷେପ ନିଆଯିବ। କିଛି କଟକଣା ଲଗାଯିବ କି ନାହିଁ, ପରିସ୍ଥିତି ଅନୁସାରେ ସ୍ଥିର କରାଯିବ। ତେବେ ସମସ୍ତେ କୋଭିଡ ନିୟମ ମାନି ଚଳିବା ଆବଶ୍ୟକ। ଗତବର୍ଷ ରାଜ୍ୟ ସରକାର ଠିକ୍ ସମୟରେ କଟକଣା ଲଗାଇବାରୁ କୋଭିଡ ପରିଚାଳନାରେ ସଫଳତା ମିଳିଥିଲା। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆରୋଗ୍ୟ ହାର ଭଲ ରହିଲା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

ରିପୋର୍ଟ: ସୌମ୍ୟରଂଜନ ସାହୁ, ନିରଂଜନ ରେଡ୍ଡି ଓ ଜଗଦୀଶ ଦାଶ

Other Stories