ମାଡ଼ି ଆସୁଛି ଉଲ୍କାପିଣ୍ଡ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବ ଦିନ ପୃଥିବୀ ଦେଇ ଅତିକ୍ରମ କରିପାରେ
ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଉଲ୍କାପିଣ୍ଡ। ନଭେମ୍ବର ୨ ତାରିଖରେ ଏହା ପୃଥିବୀ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା।
ଏହି ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ର ନାଁ ରହିଛି 2018VP1। ଅପେକ୍ଷାକୃତ କ୍ଷୁଦ୍ର ଆକାରର ଏହି ଉଲ୍କାପିଣ୍ଡର ବ୍ୟାସ ରହିଛି ପ୍ରାୟ ସାଢ଼େ ୬ ଫୁଟ୍। ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ୦.୪୧% ରହିଛି।
ଏହା ଅତି କ୍ଷୁଦ୍ର ହୋଇଥିବାରୁ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଜଳି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ପୃଥିବୀପୃଷ୍ଠରେ ପଡ଼ିଲେ ମଧ୍ୟ ସେଭଳି କୌଣସି ବିପଦ ଘଟିବାର ଆଶଙ୍କା ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି।
ରୋଚକ ବିଷୟ ହେଉଛି, ଏହା ଠିକ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବ ଦିନ ଅର୍ଥାତ୍ ନଭେମ୍ବର ୨ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହି ଉଲ୍କାପିଣ୍ଡକୁ ୨୦୧୮ ମସିହାରେ କାଲିଫର୍ଣ୍ଣିଆ Palomar Observatory ପକ୍ଷରୁ ଚିହ୍ନଟ କରାଯାଇଥିଲା।