ଏହି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର

ଘୋଷଣା ହେଲା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ। ପ୍ରେସମିଟ୍‌ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ। କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏହାସହ  ପୋଲିଂ କର୍ମଚାରୀ, ନିର୍ବାଚନରେ ସଂପୃକ୍ତ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାଯାଇଛି। ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ଏହାସହ ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆସାମରେ ତିନୋଟି ପର୍ଯ୍ୟାୟରେ ଅର୍ଥାତ୍ ୨୭ ମାର୍ଚ୍ଚ, ୧ ଏପ୍ରିଲ ଏବଂ ୬ ଏପ୍ରିଲରେ ଭୋଟ ଗ୍ରହଣ ହେବ। ସେହିପରି କେରଳ, ତାମିଲନାଡୁ, ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। କେରଳ, ତାମିଲନାଡୁ, ପୁଡୁଚେରୀରେ ଏପ୍ରିଲ ୬ରେ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ରହିଛି। ମେ ୨ରେ ୪ ରାଜ୍ୟ  ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀ ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବ।

ପଶ୍ଚିମବଙ୍ଗର ୨୯୪ଟି ଆସନ, ତାମିଲନାଡ଼ୁର ୨୩୪ଟି ଆସନ,କେରଳର ୧୪୦ଟି ଆସନ,ଆସାମର ୧୨୬ଟି ଆସନ ଓ ପୁଡ଼ୁଚେରୀର ୩୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହିତ କେରଳର ମାଲ୍ଲାପୁରମ ଲେକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଶନର ଘୋଷଣା କରିଛନ୍ତି।

ଏହି ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମୋଟ ୮୨୪ ବିଧାନସଭା କ୍ଷେତ୍ରରୁ ମତଦାନ ଗ୍ରହଣ କରାଯିବ ବୋଲି ନେଇ ମଧ୍ୟ ସୂଚନା ରହିଛି।

You might also like