ଆଜି ପ୍ରକାଶ ପାଇବ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଆଉ କିଛି ସମୟ ପରେ ଭୋଟ ଗଣତି ଆରମ୍ଭ ହେବ। ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଥିବା ୫ଟି ରାଜ୍ୟ ହେଉଛି ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ।

୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍‌ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସବୁଠୁ ଅଧିକ ଫୋକସ୍ ରହିଛି।  ଏକ୍‌ଜିଟ୍‌ ପୋଲ୍ ସର୍ଭେ ଅନୁଯାୟୀ, ଏ ଦୁଇ ରାଜ୍ୟରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ। ତେଣୁ ଫଳାଫଳ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର।

ସେହିପରି ଅନ୍ୟ ୩ ରାଜ୍ୟ ମଧ୍ୟରୁ ରାଜସ୍ଥାନରେ କଂଗ୍ରେସ କ୍ଳିନ୍ ସୁଇପ୍ କରିବ ବୋଲି ଏକ୍‌ଜିଟ୍‌ ପୋଲ୍ ସର୍ଭେରେ ଆକଳନ କରାଯାଇଥିଲା। ସେପଟେ ତେଲେଙ୍ଗାନାରେ ପ୍ରାୟ ୯ ମାସ ପୂର୍ବରୁ ବିଧାନସଭା ଭାଙ୍ଗି ଆଗୁଆ ନିର୍ବାଚନକୁ ଯାଇଥିବା ଟିଆରଏସ୍ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରିପାରେ ବୋଲି ଏକ୍‌ଜିଟ୍‌ ପୋଲ ସର୍ଭେରେ ଦର୍ଶାଯାଇଥିଲା।

ଏପଟେ ମିଜୋରାମରେ କଂଗ୍ରେସ ଓ ଏମ୍ଏନ୍‌ଏଫ୍ ମଧ୍ୟରେ କଡ଼ା ମୁକାବିଲା ନେଇ ଏକଜିଟ୍ ପୋଲ୍ ସର୍ଭେ ସଙ୍କେତ ଦେଇଛି। ତେଣୁ ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟ ଓ ଫଳାଫଳ ମଧ୍ୟରେ କ’ଣ ପ୍ରଭେଦ ରହୁଛି ତା’ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

You might also like