ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ଲକ୍ଷ୍ମୀପୁର: ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ କରୋନା ରୋଗୀକୁ ପିଠିରେ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ କୋଭିଡ୍‌ ଯୋଦ୍ଧା। ପାଖାପାଖି ଅଧକିଲୋମିଟର ପର୍ଯ୍ୟନ୍ତ ପିଠିରେ ବୋହିଥିଲେ କୋଭିଡ୍ ଯୋଦ୍ଧା। ଏଭଳି ଘଟଣା ଘଟିଛି ଆସାମର ଘୁଲାମାରା ଅଞ୍ଚଳର। ଏହି କୋଭିଡ୍‌ ଯୋଦ୍ଧା ହେଲେ ୧୦୮ ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଆସାମର ଗୋପାଳ ସାଇକିଆ।

ଅସୁସ୍ଥ କରୋନା ରୋଗୀଙ୍କ ଘର ଆମାସ ଘୁଲାମାରା ଅଞ୍ଚଳର ଢାକୁଆଖାନା ଠାରେ। ରୋଗୀଙ୍କୁ ଆଣିବାକୁ ଶନିବାର ଗୋପାଳ ସାଇକିଆ ଉକ୍ତ ସ୍ଥାନକୁ ଯାଇଥିଲେ। ହେଲେ ସେଠାକାର ରାସ୍ତା ଏତେ କଦର୍ଯ୍ୟ ଆମ୍ବୁଲାନ୍ସଟି ରୋଗୀଙ୍କ ଘର ପାଖକୁ ଯାଇପାରିନଥିଲା। ଫଳରେ କାଳବିଳମ୍ବ ନକରି ଗୋପାଳ ରୋଗୀଙ୍କୁ ନିଜ ପିଠିରେ ଅଧାକିଲୋମିଟର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସରେ ବସାଇଥିଲେ। ଏହାପରେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇଥିଲେ ଗୋପାଳ।

ତେବେ ଗୋପାଳଙ୍କର ପିପିଇ କିଟ୍ ପିନ୍ଧି କରୋନା ରୋଗୀଙ୍କୁ ବୋହୁଥିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ଏହାପରେ ଚାରିଆଡ଼ୁ ଗୋପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ସମସ୍ତେ କହୁଛନ୍ତି ସେବା କରିବ ତ ଏମିତି।

ସୂଚନା ଥାଉକି, ଖବର ଲେଖାଯିବା ସୁଦ୍ଧା ଆସାମର ମୋଟ ୨,୦୩,୯୬୭ କରୋନା ଭାଇରସ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୯.୬୧ ସୁସ୍ଥ ହୋଇଥିବା ବେଳେ ୯୦୨ ଜଣଙ୍କର ଜୀବନ ଯାଇଛି।

ଏହା ପୂର୍ବରୁ ସେହି ଆସାମର ସିଲ୍‌ଚର ମେଡିକାଲ୍ କଲେଜର୍‌ ନିଯୁକ୍ତ ଓଡ଼ିଆ ଡାକ୍ତର ଅରୁପ ସେନାପତିଙ୍କ ପିପିଇ କିଟ୍‌ ପିନ୍ଧି ଡାନ୍ସ କରିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। କରୋନା ରୋଗୀଙ୍କ ମନୋରଞ୍ଜନ କରିବା ପାଇଁ ଅରୁପ ବଲିଉଡ୍‌ର ଘୁଙ୍ଗୁରୁ ଟୁଟ୍‌ ଗଏ ଗୀତରେ ଜବରଦସ୍ତ ଡାନ୍ସ କରିଥିଲେ। ଏହି ଭିଡିଓ ଭାଇରାଲ୍ ହେବା ପରେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ମଧ୍ୟ ତାଙ୍କ ଡାନ୍ସକୁ ପ୍ରଶଂସା କରିବା ସହିତ ତାଙ୍କ ଠାରୁ ଡାନ୍ସ ଶିଖିବେ ବୋଲି ଟ୍ୱିଟ୍ କରିଥିଲେ।

ତେବେ ଡାକ୍ତରଙ୍କ ପିପିଇ କିଟ୍ ପିନ୍ଧି ଡାନ୍ସ କରିବା ଘଟଣା ପ୍ରଥମ ନୁହେଁ, ୩ ମାସ ପୂର୍ବରୁ ଭୁବନେଶ୍ୱର ଏମ୍ସ ଡାକ୍ତର ସୌରଭ ପାଣିଗ୍ରାହୀ ମଧ୍ୟ ପିପିଇ କିଟ୍‌ ପିନ୍ଧି ଡାନ୍ସ କରିଥିଲେ। ଯାହା ଖୁବ୍ ଭାଇରାଲ ହୋଇଥିଲା।

You might also like