ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

  • ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା
  • ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ
  • ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ 

ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ସମାରୋହରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଚାଲିଛି । ରବିବାର ଦିନ ସର୍ବସମ୍ମତି କ୍ରମେ ଗୁଆହାଟୀରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବି. ଏଲ୍. ସନ୍ତୋଷ, ଅରୁଣ ସିଂ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବସିଥିବା ବିଧାୟକ ଦଳ ବୈଠକରେ ହିମନ୍ତ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ ।

ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ଅନ୍ୟ ବିଧାୟକ ଏହାକୁ ସମର୍ଥନ କରିଥିଲେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପରେ ହିମନ୍ତ ରାଜଭବନ ଗସ୍ତ କରି ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ ।  ଏହାସହ ସରକାର ଗଠନ ଓ ଶପଥ ଗ୍ରହଣ ଲାଗି ଦାବି ଜଣାଇଥିଲେ । ତେବେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ହିମନ୍ତ ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଖୁବ୍ ପ୍ରଶଂସା କରିଥିଲେ । କହିଥିଲେ, ଚନ୍ଦ୍ରମାରେ କଳଙ୍କ ଥାଇପାରେ ହେଲେ ସୋନଓ୍ୱାଲଙ୍କ ୫ ବର୍ଷ ଶାସନ କାଳ ନିଷ୍କଳଙ୍କ ଥିଲା ।  ବୈଠକ ପୂର୍ବରୁ ରବିବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଥିଲେ।  ଆସାମର ମୁଖ୍ୟମନ୍ତ୍ରୀ ହେବା ପୁୂର୍ବରୁ ସର୍ବାନନ୍ଦ ସୋନଓ୍ବାଲ ମାଦି ସରକାରରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମନ୍ତ୍ରୀ ରହିସାରିଛନ୍ତି ।

କ୍ରମାଗତ ଦ୍ୱିତୀୟ ଥର ଲାଗି ବିଜେପି ଆସାମରେ ସରକାର ଗଢିବାକୁ ଯାଉଥିବା ବେଳେ ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି ।  ବିଜେପି ୫ ବର୍ଷ ଧରି ସ୍ବଚ୍ଛ ଓ ଦକ୍ଷ ପ୍ରଶାସନ ଦେଇଥଲେ ମଧ୍ୟ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରାଯାଇଛି। ବିଭିନ୍ନ କାରଣକୁ ନେଇ ବିଶ୍ୱଶର୍ମାଙ୍କୁ ଦଳ ପ୍ରମୋଶନ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନାକୁ କାର୍ଯକାରୀ କରିବା ହେଉ କିମ୍ବା କୋଭିଡର ସଫଳ ପରିଚାଳନା, ଅର୍ଥ ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିଶ୍ୱଶର୍ମାଙ୍କ ଗୋଟି ଚାଳନା ଯୋଗୁଁ ହିଁ ଦଳକୁ ଆସାମରେ ଅଭୂତପୂର୍ବ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି।
You might also like