ଆସାମ ବନ୍ୟା ପରିସ୍ଥିତି: ୫୪ ଲକ୍ଷ ପ୍ରଭାବିତ ଓ ୮୧ ମୃତ
ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି।
ରାଜ୍ୟରେ ଏହି ବିପଦ ସମୟରେ ରାଜ୍ୟକୁ କେନ୍ଦ୍ର ଯଥା ସମ୍ଭବ ସାହାଯ୍ୟ କରି ବୋଲି ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିବା ସହିତ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଆଲୋଚନା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ।
କରୋନା ମହାମାରୀର ମୁକାବିଲା ପାଇଁ ଅଣ୍ଟା ସଳଖୁଥିବା ଆସାମବାସୀଙ୍କ ପାଇଁ ଏବେ ଦାଉ ସାଧିଛି ବନ୍ୟା। ବ୍ରହ୍ମପୁତ୍ରର ଏହି କରାଳ ରୂପରୁ ବାଦ ପଡ଼ିନାହାନ୍ତି ବନ୍ୟଜନ୍ତୁ। କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିବା ଶହ ଶହ ଜୀବଜନ୍ତୁଙ୍କ ଜୀବନ ଏବେ ବିପନ୍ନ ହୋଇଛି। ଉଦ୍ୟାନର ୮୫ ପ୍ରତିଶତ ସ୍ଥାନରେ ଏବେ ବନ୍ୟାଜଳ ଜମିରହିଛି।
ବନ୍ୟା ସମୟରେ କାଜିରଙ୍ଗ ଜାତୀୟ ଉଦ୍ୟାନର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଉଦ୍ୟାନ୍ ନିକଟ ଜାତୀୟ ରାଜପଥ ଉପରେ ଏକ ବିଶାଳ ଗଣ୍ଡା ଶୋଇଥିବାର ଦେଖାଯାଉଛି। ଚାରିଆଡ଼େ ପାଣି ଥିବାରୁ ଗଣ୍ଡାଟି ନା ଜଙ୍ଗଲକୁ ଯାଇପାରୁଥିଲା ନା ପାଣିକୁ ଯିବାର ସାହାସ ଜୁଟାଇ ପାରୁଥିଲା। ଏହି ଭିଡିଓକୁ କେହି କଏଦ୍ କରି ସୋସିଆଲ୍ ମିଡିଆରେ ଛାଡିବା ପରେ ଏବେ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଗଣ୍ଡାଟି ଶୋଇଥିବା ସ୍ଥାନରେ ଜଗି ରହିଛନ୍ତି ଆସାମ ପୋଲିସ ଓ ବନ ବିଭାଗ କର୍ମଚାରୀ। ଗଣ୍ଡାର ବୟସ ପ୍ରାୟ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।