କରୋନା ଭ୍ୟାକ୍ସିନ୍‌ ନେବାର କିଛିଦିନ ପରେ ଦୁଇ ଆଶାକର୍ମୀଙ୍କର ମୃତ୍ୟୁ; ପରିବାରର ଅଭିଯୋଗ, ଟିକା ପାଇଁ ମୃତ୍ୟୁ ହେଲା

ବିଶାଖାପାଟନମ୍: ସାରା ଦେଶରେ କରୋନା ଟିକାକରଣ ଚାଲିଛି। କେନ୍ଦ୍ର ସରକାରଙ୍କର ଯୋଜନା ମୁତାବକ ସ୍ୱାସ୍ଥ୍ୟକର୍ମୀ କରୋନା ଯୋଦ୍ଧା ହୋଇଥିବାରୁ ସେମାନଙ୍କୁ ଆଗୁଆ କରୋନା ଟିକା ଦିଆଯାଉଛି। ତେବେ ଟିକା ନେବା ପରେ ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି ଆଶାକର୍ମୀ ହେଲେ ଆନ୍ଧ୍ରପ୍ରଦେଶର ୪୨ ବର୍ଷୀୟା ବିଜୟ ଲକ୍ଷ୍ମୀ। ବ୍ରେନ୍‌ ଷ୍ଟ୍ରୋକ୍ ଯୋଗୁ ରବିବାର ସକାଳେ ତାଙ୍କର ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜାନୁଆରୀ ୧୯ ତାରିଖରେ ବିଜୟ ଲକ୍ଷ୍ମୀ କରୋନା ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସେ ଚେତାଶୂନ୍ୟ ହୋଇଯିବା ପରେ ଜାନୁଆରୀ ୨୧ ତାରିଖରେ ତାଙ୍କୁ ଗୁଣ୍ଟୁର ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନିଦିନର ସଂଘର୍ଷ ପରେ ରବିବାର ସକାଳେ ବିଜୟଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହାପରେ ତାଙ୍କ ମୃତଶରୀରକୁ ଅଟୋସ୍ପି ପାଇଁ ପଠାଇଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି।

ଅନ୍ୟପଟେ କରୋନା ଟିକା ନେବା ପରେ ବିଜୟ ଲକ୍ଷ୍ମୀଙ୍କର ବିୟୋଗ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। କରୋନା ଟିକା ନେବା ପରେ ବିଜୟଲକ୍ଷ୍ମୀଙ୍କୁ ଜ୍ୱର ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୁଣ୍ଟୁର ଜିଲ୍ଲାପାଳ ସାମୁଏଲ୍‌ ଆନନ୍ଦ କୁନାର ଡାକ୍ତରଖାନାରେ ପହଞ୍ଚି ମୃତା ବିଜୟଲକ୍ଷ୍ମୀଙ୍କ ପରିବାରକୁ ଭେଟିଛନ୍ତି। ଏଥିସହିତ ବିଜୟଲକ୍ଷ୍ମୀଙ୍କ ପୁଅକୁ ଏକ ଚାକିରି ଦେବା ସହିତ ସରକାରଙ୍କ ତରଫରୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।

ଏସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ତାଙ୍କର ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବ। ତେବେ ପ୍ରଥମ ୮ ଦିନରେ ଜିଲ୍ଲାରେ ୧୦,୦୯୯ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସମସ୍ୟା ଆଖି ଆଗକୁ ଆସି ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ଘଟଣା ପରେ ଜିଲ୍ଲା ଆଶାକର୍ମୀମାନେ ଜିଜିଏଚ୍‌ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୃତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ବିଜୟ ଲକ୍ଷ୍ମୀ ଗୁଣ୍ଟୁର ଜିଲ୍ଲାର ତଡେପାଲ୍ଲୀ ମଣ୍ଡଳର ପେନୁମକା ଗାଁରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ।

ଏହା ପୂର୍ବରୁ ବିଜୟ ଲକ୍ଷ୍ମୀ ଜୀବିତ ଥିଲା ବେଳେ ଟିକାରଣ ପାଇଁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିବା କଥାକୁ ଅସ୍ୱୀକାର କରିଥିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ରୋଗୀଙ୍କର ବ୍ରେନ୍‌ ଷ୍ଟେମ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି ବୋଲି ଜିଜିଏଚ୍‌ ସୁପରିଟେଣ୍ଡେଣ୍ଟ ଜି ପ୍ରଭାବତୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ “ ଶୁକ୍ରବାର ତାଙ୍କୁ ଡାକ୍ତରଖାନା ଅଣାଯିବା ପରେ ଆମେ ସମସ୍ତ ପ୍ରକାର ପରୀକ୍ଷା କରାଇଥିଲୁ। ତେବେ କରୋନା ଟିକା ନେବା ସହିତ ବ୍ରେନ୍‌ ଷ୍ଟ୍ରୋକ୍‌ର କୌଣସି ସମ୍ପର୍କ ନାହିଁ ବୋଲି ପ୍ରଭାବତୀ କହିଥିଲେ।

ବିଜୟ ଲକ୍ଷ୍ମୀ ସହିତ ତେଲେଙ୍ଗାନାରେ ମଧ୍ୟ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ବିୟୋଗ ହୋଇଛି। ରାଜ୍ୟର ନ୍ୟୁ ଶାୟମପେଟା ୱାରାଙ୍ଗଲରେ ଜଣେ ୪୫ ବର୍ଷିୟା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ବିୟୋଗ ହୋଇଛି। ଏହି ମହିଳା ଜାନୁଆରୀ ୧୯ ତାରିଖରେ କରୋନା ଭ୍ୟାକ୍ସିନ ନେଇଥିଲେ। ଆଉ ଆଜି ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଜିଲ୍ଲା AEFI କମିଟି ଘଟଣାର ତଦନ୍ତ କରୁଛି। ଖୁବ୍‌ଶୀଘ୍ର ସେ ରାଜ୍ୟ AEFIକୁ ରିପୋପର୍ଟ ଦେବେ।

ସେହିପରି ଦୁଇଦିନ ତଳେ ହରିୟାଣା ଗୁରଗ୍ରାମରେ ମଧ୍ୟ ଜଣେ ଆଶାକର୍ମୀଙ୍କର ବିୟୋଗ ହୋଇଥିଲା। କରୋନା ଟିକା ନେବାର ୧୩୦ ଘଣ୍ଟା ପରେ ୫୦ ବର୍ଷୀୟ ରାଜବନ୍ତୀ ନାମକ ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହୋଇଥିଲା। କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ରାଜବନ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ଜାନୁଆରୀ ୧୬ ତାରିଖରେ ରାଜବନ୍ତୀ କରୋନା ଟିକା ନେଇଥିଲେ। ୧୩୦ ଘଣ୍ଟା ପରେ ରାଜବନ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପରିବାର ଲୋକେ ଟିକାକରଣ ରଦ୍ଦ କରିବାକୁ ଦାବି କରିଥିଲେ। କେବେ ରାଜବନ୍ତିଙ୍କର କରୋନା ଟିକା ଯୋଗୁ ମୃତ୍ୟୁ ହୋଇଛି କି ଅନ୍ୟ କୌଣସି କାରଣରୁ ତାହା ଜଣାପଡ଼ି ନାହିଁ।

You might also like