ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

କ୍ୱାରେଣ୍ଟାଇନ୍‌ରେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ। ପତ୍ନୀ କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନରୁ କ୍ୱାରେଣ୍ଟାଇନ୍‌ ଅର୍ଥାତ୍‌ ସଂଗରୋଧରେ ରହିଛନ୍ତି।  ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତାଙ୍କର କୋଭିଡ୍‌-୧୯ ନମୁନା ପରୀକ୍ଷାର ରିପୋର୍ଟ ପଜିଟିଭ୍‌ ଆସିଛି। ସୁନୀତା କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ନିଜକୁ କ୍ୱାରେଣ୍ଟାଇନ୍‌ ସେଂଟରରେ ରଖିଛନ୍ତି। ତେବେ ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଦିଲ୍ଲୀକୁ ଲକଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଦିଲ୍ଲୀରେ ୬ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଗରିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ ଆରମ୍ଭ ହୋଇଛି। ଏହା ଆସନ୍ତା ସୋମବାର ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଜରୁରୀ ସେବା, ଖାଦ୍ୟ ଯୋଗାଣ, ଔଷଧ ବିତରଣ ବା ବିକ୍ରି ହୋଇପାରିବ ବୋଲି ସରକାର ଘୋଷଣା କରିଛନ୍ତି । ଏହି ସମୟରେ ଯଦି କାହାର ବିବାହ ଥାଏ, ତେବେ ସେମାନେ ସ୍ୱତନ୍ତ୍ର ପାସ୍ ଆଣି ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତିରେ ତାହାକୁ ସମ୍ପାଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି।

ସେପଟେ ଭୟଙ୍କର ହେବାରେ ଲାଗିଛି କରୋନା। ସ୍ଥିତି ଅନିୟନ୍ତ୍ରିତ ହେଲାଣି। ତେଣୁ ବାଧ୍ୟ ହୋଇ ଝାଡ଼ଖଣ୍ଡକୁ ଲକଡାଉନ ଘୋଷଣା କଲେ ଝାଡ଼ଖଣ୍ଡ ସରକାର। ସୂଚନା ଅନୁସାରେ,  ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଜାରି ରହିବ। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ଝାରଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି କରୋନା ମହାମାରୀରେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଲାଣି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି।

You might also like