ଦେଶର ୨୬ ରାଜ୍ୟକୁ ବ୍ୟାପିଲା ବ୍ଲାକ୍ ଫଙ୍ଗସ୍ : ଚିକିତ୍ସିତ ହେଉଛନ୍ତି ୨୦ ହଜାର ରୋଗୀ

ବିଭିନ୍ନ ରାଜ୍ୟରେ ଇଞ୍ଜେକ୍ସନର ଅଭାବ

ନୂଆଦିଲ୍ଲୀ : ଭୟ ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ସହ ବ୍ଲାକ୍ ଫଙ୍ଗସ୍ ମଧ୍ୟ ବ୍ୟାପିବାରେ ଲାଗିଛି । ମସ୍ତିଷ୍କକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ରୋଗ ବର୍ତ୍ତମାନ ଦେଶର ୨୬ ଟି ରାଜ୍ୟରେ ପହଞ୍ଚି ସାରିଛି । ପୂରା ଦେଶରେ ବର୍ତ୍ତମାନ ପ୍ରାୟ ୨୦ ହଜାର ବ୍ଲାକ୍ ଫଙ୍ଗସ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହାରି ଭିତରେ ବଡ଼ ସମସ୍ୟା ହୋଇ ଉଭା ହୋଇଛି ଏହି ରୋଗରେ ବ୍ୟବହୃତ ହେଉଥିବା ଇଞ୍ଜେକ୍ସନ । ଦେଶରେ ଆବଶ୍ୟକ ଅନୁସାରେ ୧୦ ପ୍ରତିଶତ ଇଞ୍ଜେକ୍ସନ ମଧ୍ୟ ଉପଲବ୍ଧ ନାହିଁ ।

ତେବେ ଏ ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା କହିଛନ୍ତି , କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଅତିରିକ୍ତ ୩୦,୧୦୦ ଭଏଲ୍ Amphotericin B ଇଞ୍ଜେକ୍ସନ ଆବଣ୍ଟନ କରିଛନ୍ତି । ସରକାର ମହାରାଷ୍ଟ୍ରକୁ ସର୍ବାଧିକ ୫,୯୦୦ ଏବଂ ଗୁଜୁରାଟକୁ ୫,୬୩୦ ଭଏଲ୍ Amphotericin B ଇଞ୍ଜେକ୍ସନ ଯୋଗାଇ ଦେଇଛନ୍ତି । Amphotericin ମ୍ୟୁକର୍ମାଇକୋସିସ୍ ଚିକିତ୍ସାରେ ବ୍ୟବହୃତ ହୁଏ । ଏହି ରୋଗକୁ ବ୍ଲାକ୍ ଫଙ୍ଗସ୍ ମଧ୍ୟ କୁହାଯାଏ, ଯାହା ନାକ, ଆଖି ଏବଂ ବେଳେବେଳେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

କରୋନାରୁ ସୁସ୍ଥ ହେବା ପରେ ଚିନ୍ତା ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍। କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗ ଓ କିଡରଷ ସମସ୍ୟା ଥିବା ବ୍ୟକ୍ତି ସାବଧାନ ରୁହନ୍ତୁ । କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଏଭଳି ଲୋକଙ୍କୁ, ସହଜରେ ଆକ୍ରମଣ କରୁଛି। ବ୍ଲାକ୍ ଫଙ୍ଗସ୍ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସଫୁସ୍ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି ଏହି ଫଙ୍ଗାଲ୍ ଇନଫେକସନ୍। ଯଦିଓ ଏହା କିଛି ନୂଆ ରୋଗ ନୁହେଁ, ତଥାପି କରୋନା କାଳରେ ବହୁଗୁଣ ବଢ଼ିଯାଇଛି ଏହାର ପ୍ରାଦୁର୍ଭାବ।

ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ। ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଯେତିକି ଜରୁରୀ, ତା ଠୁ ଅଧିକ ଜରୁରୀ, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରୁ ବର୍ତ୍ତିବାର ଉପାୟ ଜାଣିବା। ଏଥିରୁ ରକ୍ଷା ପାଇବା ପାଇଁ ଉଭୟ କରୋନା ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସତର୍କ ହେବା ଉଚିତ। କରୋନା ରୋଗୀଙ୍କୁ ଡାକ୍ତରମାନେ ଆବଶ୍ୟକତା ପୂର୍ବରୁ ଏବଂ ମାତ୍ରାଧିକ ଷ୍ଟିରଏଡ୍ ଦେବା ଅନୁଚିତ ଏବଂ ରୋଗୀଙ୍କୁ ଅକ୍ସିଜେନ୍ ଲଗାଇବା ବେଳେ ମାସ୍କ ଓ ପାଇପକୁ ଭଲଭାବେ ସାନିଟାଇଜ୍ କରିବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।

You might also like