ରାସ୍ତାକଡ଼କୁ ଓଲଟି ଜଳିଗଲା ସେନା ଜିପ୍ସି, ଜୀବନ୍ତ ଜଳିଗଲେ ୩ ଯବାନ

ଶ୍ରୀଗଙ୍ଗାନଗର: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାର ରାଜିଆସର ଥାନା ଇଲାକାରେ ବୁଧବାର ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି। ସ୍ଥାନୀୟ ରାଜିୟାସର ଥାନା ଇଲାକାରେ ଭାରତୀୟ ବାୟୁ ସେନାର ଏକ ଜିପ୍ସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଜିପ୍ସି ଓଲଟି ଯିବାପରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି। ଏଥିରେ ଥିବା ସେନାର ୩ ଜଣ ଯୁବାନ ଜୀବନ୍ତ ଜଳି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସୁରତଗଡ-ଛତରଗଡ ରୋଡ୍‌ରେ ବୁଧବାର ବିଳମ୍ବିତ ରାତିରେ ହୋଇଥିଲା। ସେନା ଜିପ୍ସି ଭାରସାମ୍ୟ ହରାଇ ଏକ ଖାଇ ଭିତରରେ ପଡି ଯାଇଥିଲେ। ଖାଇରେ ପଡ଼ିଯିବା ପରେ ଜିପ୍ସିଟି ଜଳି ଯାଇଥିଲା। ଫଳରେ ଏଥିରେ ତିନି ଜଣ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ୫ ଜଣ ଯବାନ ଗୁରୁତର ହୋଇଛନ୍ତି। ଆହତଙ୍କୁ ସୁରତଗଡର ଟ୍ରମା ହସ୍ପିଟାଲରେ ପ୍ରାଥମିକ ଉପଚାର ପରେ ମିଲିଟ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଯବାନମାନେ ବଠିଣ୍ଡାର ୪୭-AD ୟୁନିଟ୍‌ର ବୋଲି କୁହାଯାଉଛି। ଏହି ଯବାନମାନେ ଯୁଦ୍ଧାଭ୍ୟାସ ପାଇୱ ସୁରତଗଢ ଆସିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ୩ ଜଣ ଯବାନ ଛଟପଟ ହୋଇ ପ୍ରାଣ ହରାଇ ସାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାଜିୟାସର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରିଥିଲେ।

କୁହାଯାଉଛି, ଦୁର୍ଘଟଣା ପରେ ତିନିଜଣ ଯବାନ ବେହୋସ ହୋଇ ଯାଇଥିଲେ। ତେଣୁ ନିଆଁ ଭିତରୁ ସେମାନେ ବାହାରି ପାରି ନ ଥିଲେ ଯାହାଫଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣେ ସେନାର ସୁବେଦାର ବୋଲି କୁହାଯାଉଛି। ଅନ୍ୟ ଦୁଇଜଣ ସେନାର ଯବାନ ଥିଲେ।

You might also like