୧୬ ହଜାର ଫୁଟ୍‌ ପାହାଡ଼ ଉପରେ ଯବାନଙ୍କ ହେଲା ସର୍ଜରୀ; ସଫଳତା ପାଇଲେ ସେନା ଡାକ୍ତର

ନୂଆଦିଲ୍ଲୀ: ୧୬ ହଜାର ଫୁଟ୍‌ ଉଚ୍ଚରେ ଜଣେ ଯବାନଙ୍କର ଆପେଣ୍ଡିକ୍ସ ସର୍ଜରୀ କରି ଭାରତୀୟ ସ୍ଥଳ ସେନାର ଡାକ୍ତର ସଫଳତା ହାସଲ କରିଛନ୍ତି। ପୂର୍ବ ଲଦାଖର ଏକ ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରିଯାଇଥିଲା।

ଖରାପ ପାଗ କାରଣରୁ ଅସୁସ୍ଥ ଯବାନଙ୍କୁ ଲଦାଖରୁ ଲେହକୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ତେଣୁ ଫରୱାର୍ଡ ସେଣ୍ଟରରେ ତିନିଜଣିଆ ଡାକ୍ତରୀ ଦଳର ଗଠନ କରାଯାଇ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଛି।

ଆପାତଃକାଳୀନ ଭାବେ ଏହି ସର୍ଜରୀ କରାଯାଇଥିଲା। ୧୬ ହଜାର ଫୁଟ ଉପରେ ଫ୍ରୀଜ୍‌ ତାପମାତ୍ରାରେ ଅସୁସ୍ଥଙ୍କୁ ରଖାଯାଇ ଏହି ଅପରେସନ୍‌ କରାଯାଇଥିବା ଭାରତୀୟ ସ୍ଥଳ ସେନା ପକ୍ଷରୁ କୁହାଯାଇଛି।

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେନାର ଡାକ୍ତରମାନେ ଏହି ସର୍ଜରୀକୁ ସଫଳତାର ସହ ଶେଷ କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ସେନା କରିଥିବା କିଛି ସର୍ଜରୀମାନଙ୍କ ମଧ୍ୟରୁ ଏହି ସର୍ଜରୀ ଅନ୍ୟତମ ବୋଲି ସେନା କହିଛି।

ଏହାଛଡ଼ା ସ୍ଥଳ ସେନାର ଫିଲ୍ଡ ହସ୍ପିଟାଲ ଗୁଡ଼ିକ କାର୍ଯ୍ୟକ୍ଷମ ଏବଂ ବରଫାଞ୍ଚଳରେ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସମ୍ପୂର୍ଣ୍ଣ ସକ୍ଷମ।

ଏଥିସହ ଫରୱାର୍ଡ ଅଞ୍ଚଳ ଗୁଡ଼ିକୁ ଅଧିକ ଉପକରଣ ଯୋଗାଇ ଦେବା ପାଇଁ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ କହିଥିବା ଜଣାପଡ଼ିଛି।

You might also like