ଗଲୱାନ ସଂଘର୍ଷ ପରେ LACରେ ବଦଳିଲା ନିୟମ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ସତର୍କ ହୋଇଛି ଭାରତ। ଭବିଷ୍ୟତରେ LACରେ ଏପରି ସଂଘର୍ଷର ଆଶଙ୍କାକୁ ଆଖିରେ ରଖି ଭାରତ ସରକାର  ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତିତ ନିୟମ ଅନୁସାରେ ଫିଲ୍‌ଡ କମାଣ୍ଡର କୌଣସି ଅସାଧାରଣ ପରିସ୍ଥିତିରେ  ଅସ୍ତ୍ରଶସ୍ତ୍ର ଉପଯୋଗର ଅନୁମତି ଦେଇ ପାରିବେ। ଏଠି କହିରଖିବୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆରମ୍ଭରୁ  ଶତ୍ରୁର ମୁକାବିଲା ପାଇଁ ସ୍ଥଳସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା କହିଥିଲେ।

ସୂଚନାଥାଉ କି, ଚୀନ-ଭାରତ ସେନା ମଧ୍ୟରେ ୧୯୯୬ ଏବଂ ୨୦୦୫ର ହୋଇଥିବା ଚୁକ୍ତିନାମା ଅନୁସାରେ ମୁହାଁମୁହିଁ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବେ ନାହିଁ ବୋଲି ସହମତି ପ୍ରକାଶ ପାଇଥିଲା। ସେ ସମୟରେ ଦୁଇ ଦେଶ ନିଜ ପଟର LACର ଦୁଇ କିମି ଭିତରେ ଅସ୍ତ୍ରଶସ୍ତ୍ର ଉପଯୋଗ କରିପାରିବେ ନାହିଁ ବୋଲି ସହମତି ପ୍ରକାଶ ପାଇଥିଲା। ତେବେ ଗତ ସପ୍ତାହରେ ଗଲବାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ଚୀନ ଏହି ନିୟମର ଉଲ୍ଲଘଂନ କରିଥିଲା। ଏହି ସଂଘର୍ଷରେ ୨୦ ଯବାନ ସହିଦ ହେବା ପରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି।

ଅନ୍ୟପକ୍ଷେ LACର ସ୍ଥିତିକୁ ନେଇ ଆଲୋଚନା ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଚିଫ୍‌ ଅଫ ଡିଫେନ୍ସର ମୁଖ୍ୟ ବିପିନ ରାୱତଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଯବାନଙ୍କ ଜୀବନ ପ୍ରତି ବିପଦ ଆସିଲେ ଏବଂ ଚୀନ ସେନା ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ ଆତ୍ମରକ୍ଷା ପାଇଁ କୌଣସି ପ୍ରୋଟକଲ କଥା ଚିନ୍ତା କରିବା ଆବଶ୍ୟକ ନାହିଁ।

ଅନ୍ୟପକ୍ଷେ ଗଲୱାନ ଘାଟି ସଂଘର୍ଷରେ ଆହତ ହୋଇଥିବା ଭାରତୀୟ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। କୌଣସି ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନାହିଁ। ଲେହ ଡାକ୍ତରଖାନାରେ ୧୮ ଜଣ ଯବାନ ଚିକିତ୍ସିତ ହେଉଛନ୍ତି। ସେମାନେ ଆଉ ୧୫ ଦିନ ଭିତରେ କାମରେ ଯୋଗ ଦେବେ। ୫୬ ଯବାନ ଅନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମାନେ ଅଳ୍ପ ଆହତ ହୋଇଛନ୍ତି । ଗୋଟିଏ ସପ୍ତାହ ପରେ ଏମାନେ କାମରେ ଯୋଗ ଦେବେ ବୋଲି ସେନାପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ଚୀନର ୪୫ ସୈନିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

You might also like