ଖଣ୍ଡଯୁଦ୍ଧ ପରେ ଦିଲ୍ଲୀ ପ୍ରବେଶ ପାଇଁ ଆନ୍ଦୋଳନକାରୀଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରାଜରାସ୍ତା ଉପରେ ଚାଲିଛି ରୋଷେଇ।  ସେଇଠି ଖାଇବା ଏବଂ ସେହି ରାସ୍ତା ଉପରେ ଶୋଇବା। ଗତ ତିନି ରାତି ଏମିତି କଟୁଛି ରାସ୍ତା ଉପରେ । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଚଲୋ ଦିଲ୍ଲୀ ଅଭିଯାନ ଜାରି ରହିଛି । ବହୁ ଟଣାଓଟରା, ଧସ୍ତାଧସ୍ତି, ଖଣ୍ଡଯୁଦ୍ଧ ପରେ ଦିଲ୍ଲୀରେ ପ୍ରବେଶ ପାଇଁ ଶେଷରେ ଆନ୍ଦୋଳନକାରୀଙ୍କୁ ମିଳିଛି ଅନୁମତି ।

ରାଜଧାନୀ ଉପକଣ୍ଠରେ ଥିବା ବୁରାରି ନିକଟରେ ସମାବେଶ କରିବାକୁ ଗତକାଲି ଅନୁମତି ମିଳିଛି । ହରିୟାଣାରୁ ଦିଲ୍ଲୀ ଆସିବା ବାଟରେ ବହୁ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହିତ ପାଣିମାଡ଼ କରିଥିଲା ପୋଲିସ ।

ଏପରିକି ରାସ୍ତାରେ ଗାତ ଖୋଲିବା ସହିତ ତାର ମଧ୍ୟ ଟଣା ଯାଇଥିଲା। ବାଲି ଭର୍ତ୍ତି ଟ୍ରକ ରଖାଯାଇଥିଲା ।  ପୋଲିସ କାର୍ଯ୍ୟାନୁଷ୍ଠାନରେ ବହୁ ଆନ୍ଦୋଳନକାରୀ ଆହତ ମଧ୍ୟ ହୋଇଛନ୍ତି । ତଥାପି ସବୁ ବାଧାକୁ ବେଖାତିର କରି ଦିଲ୍ଲୀ ଆଡ଼କୁ ଅଗ୍ରସର ହୋଇଛନ୍ତି ଚାଷୀମାନେ। କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ୬ଟି ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ କେରଳର ଚାଷୀ ଏହି ଆନ୍ଦୋଳନ କରୁଛନ୍ତି । ମିଳିତ କିଷାନ ମୋର୍ଚ୍ଚା ନାଁରେ ୫ ଶହରୁ ଅଧିକ ସଂଗଠନ ଏଥିରେ ଭାଗ ନେଇଥିବା କୁହାଯାଉଛି।

You might also like