ରାଫେଲରେ ବସି ସ୍କୁଲ ଗଲେ କୁନି କୁନି ପିଲା

ନୂଆଦିଲ୍ଲୀ: ଆପଣ ଆକାଶରେ ଉଡୁଥିବା ଓ ପାଣିରେ ଭାସୁଥିବା ଜାହାଜ ଦେଖିଥିବେ । କେବେ ରାସ୍ତାରେ ଗଡ଼ୁଥିବା ଜାହାଜ ଦେଖିଛନ୍ତି ? ବୋଧହୁଏ ଦେଖି ନ ଥିବେ। ଏମିତି ଜାହାଜ ଦେଖିବାକୁ ମିଳିଛି ପଞ୍ଜାବ ଭଠିଣ୍ଡା ରାସ୍ତାରେ। ଏଇ ଜାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ ସଉକ ପାଇଁ ଜଣେ ବ୍ୟକ୍ତି ତିଆରି କରିଛନ୍ତି ଫାଇଟର୍ ଜେଟ୍ ଭଳି ଦେଖାଯାଉଥିବା ଗାଡ଼ି । ଆଉ ଏହାର ନାଁ ରଖିଛନ୍ତି ପଞ୍ଜାବ ରାଫେଲ୍ ।
କଥାଟା ଶୁଣିଲେ ତ ଆଶ୍ଚର୍ଯ୍ୟ ଲାଗୁଛି। ଆକାଶରେ ଉଡ଼ୁନି, ପାଣିରେ ବୁଡ଼ୁନି..ଅଥଚ ରାସ୍ତାରେ ଗଡ଼ୁଛି ରାଫେଲ୍ ! ସେତିକି ନୁହେଁ, ଏଥିରେ ବସି ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା । ରାଫେଲରେ ବସି ପଡ଼ିଲେ ଏହି କୁନିପିଲାଙ୍କ ଖୁସି କହିଲେ ନସରେ ।  ଦେଖିବାକୁ  ଅବିକଳ ଲଢ଼ୁଆ ଜେଟ୍ ରାଫେଲ ପରି ଏହି ଗାଡ଼ି। ତେଣୁ ଏହାର ନାଁ ରଖାଯାଇଛି ପଞ୍ଜାବ ରାଫେଲ୍ । ଏହାକୁ ପ୍ରସ୍ତୁତ କରିଛନ୍ତି ରାମା ମଣ୍ଡିର  ରାମପାଲ ବେହନିଓ୍ୱାଲ ଏବଂ ଦୁଇ ମେକାନିକ୍ ଗୁରୁସେବକ ସିଂ ଓ କୁଲଦୀପ ସିଂ । ଏହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା।
ଫାଇଟର ଜେଟ୍ ଭଳି ଦେଖାଯାଉଥିବା ଏହି ଗାଡ଼ିରେ ଲାଗିଛି ମାରୁତି କାରର ଇଞ୍ଜିନ୍ । କାର୍ ଭଳି ଷ୍ଟିୟରିଂ ଓ ୪ଟି ଚକ ବି ଲାଗିଛି। ସବୁ ମେକାନିକାଲ ପାର୍ଟସ ମାରୁତିର ଲାଗିଛି।  ଏହି ରାଫେଲ ଗାଡ଼ି ତିଆରି କରିବାକୁ ସମୟ ଲାଗିଛି ପ୍ରାୟ ୧ ମାସ । ଖର୍ଚ୍ଚ ହୋଇଛି ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା । ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ରାସ୍ତାରେ ଗଡ଼ିପାରୁଛି ଏହି ପଞ୍ଜାବ ରାଫେଲ୍ । ଏହାର ଲମ୍ବ ୧୮ ଫୁଟ୍ ଥିବା ବେଳେ ଚଉଡ଼ା ରହିଛି ୯ ଫୁଟ୍। ଗାଡିରେ ୩ ଜଣ ଲୋକ ଆରାମ୍‌ରେ ବସି ଯାଇପାରିବେ।

ରାସ୍ତାରେ ଗଡ଼ୁଥିବା ଏହି ପଞ୍ଜାବ ରାଫେଲକୁ ନେଇ ଦେଖାଣାକାରୀଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି । ଏହାକୁ ନେଇ ନିର୍ମାତା ରାମପାଲ ବେହନିଓ୍ୱାଲ କହନ୍ତି ‘ ଆର୍କିଟେକ୍ଟ ହୋଇଥିବାରୁ ସବୁବେଳେ କିଛି ନୂଆ କରିବାକୁ ଇଚ୍ଛା କରୁଥାଏ। ଟିଭିରେ ରାଫେଲକୁ ଦେଖିବା ପରେ ସେହିପରି ଏକ ଗାଡ଼ି ତିଆରି କରିବାକୁ ମନ କରିଥିଲି।

ଏହି ନିଆରା ଗାଡ଼ିକୁ ନେଇ ଗାଁର ପରିଚୟ ବଦଳି ଯାଇଛି। ରାସ୍ତାରେ ଯାଉଥିବା ଲୋକ ଅଟକି ପଚାରୁଛନ୍ତି ଏ ଗାଡ଼ି କିଏ କରିଛି  ବୋଲି। ରାମପାଲଙ୍କ ଏହି ଗାଡି ଏବେ ଗାଁର ପରିଚୟ ହୋଇଯାଇଛି। ତାଙ୍କର ଏପରି କାମକୁ ନେଇ ଗ୍ରାମବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି।

You might also like