ଗଳାରେ ତୀର ପଶି ବାହାରିଗଲା; ସାହସ ଯୋଗୁ ଜୀବନ ଫେରି ପାଇଲେ ଏଇ କୁନି ଝିଅ

ବିପଦକୁ ସାହସର ସହ ସାମ୍ନା କରିପାରିଲେ ବିପଦ ଅଧା ଟଳିଯାଏ। ଏକଥାର ସତ୍ୟତା ରହିଛି। ଯାହାକୁ କରି ଦେଖାଇ ପାରିଛନ୍ତି କୁନି ବାହାଦୁର ଶିବାଙ୍ଗିନୀ ।  ଦୁଇ ସପ୍ତାହ ତଳର ଘଟଣା। ଆସାମ୍‌ ଡିବ୍ରୁଗଡ଼ ଅଞ୍ଚଳରେ ୧୨ବର୍ଷ ତୀରନ୍ଦାଜ ଶିବାଙ୍ଗିନୀର ଗଳାରେ ଏକ ତୀର ପଶି ଯାଇଥିଲା। ଗୁରୁତର ହୋଇ ପଡ଼ିଥିଲା ଶିବାଙ୍ଗିନୀ। ପ୍ରାୟ ୪୦ ଘଣ୍ଟା ଧରି ତୀର ତାର ଗଳାରେ ସେମିତି ପଶି ରହିଥିଲା। ଏମ୍‌ସର ଡାକ୍ତରମାନେ ଗଳାରୁ ତୀର ବାହାର କରିଥିଲେ ଏବଂ ପ୍ରାୟ ୧୫ ଦିନ ଚିକିତ୍ସା କରିବା ପରେ ଶିବାଙ୍ଗିନୀ  ଆଜି ଘରକୁ ଫେରିଛନ୍ତି।

ଏଇ ମାସରେ ଆସାମରେ ଖେଲୋ ଇଣ୍ଡିଆର ୟୁଥ୍‌ ଗେମ୍ସ ଆରମ୍ଭ ହେଉଛି। ଆରମ୍ଭର କିଛି ଦିନ ପୂର୍ବରୁ ଦିବ୍ରୁଗଡ଼ର ସାଇ ସେଣ୍ଟରରେ ଶିବାଙ୍ଗିନୀ ତୀରନ୍ଦାଜ ଅଭ୍ୟାସ କରୁଥିଲେ। ଏହି ସମୟରେ ଏକ ତୀର ତାଙ୍କ ଗଳାରେ ପଶିଗଲା। ଖାଲି ପଶିଗଲାନି,  ଗୋଟିଏ ପଟେ ପଶି ଅନ୍ୟପଟେ ବାହାରି ରହିଲା।୧୫ ସେଣ୍ଟିମିଟର ଲମ୍ବା ଏହି ତୀର ତାଙ୍କ ଗଳାରେ ପ୍ରାୟ ୨ ଦିନ ଧରି ପଶି ରହିଲା। ଶିବାଙ୍ଗିନୀଙ୍କ କହବା ଅନୁଯାୟୀ ‘ଜଣେ ସାଙ୍ଗର ଭୁଲ ପାଇଁ ତୀର ପଛପଟିଆ ବାହରିଗଲା। ମୁଁ ଯେହେତୁ ପଛରେ ବସିଥିଲି ତେଣୁ ତାହା ମୋ ଗଳାରେ ପଶିଗଲା।’

ଶିବାଙ୍ଗିନୀଙ୍କ କହିବା ଅନୁଯାୟୀ, ତୀର ପଶିବାବେଳେ ବହୁତ ଯନ୍ତ୍ରଣା ହୋଇଥିଲା। ଏପରିକି ଆଗକୁ ଖେଳିପାରିବେ କି ନାହିଁ ସେ ନେଇ ସନ୍ଦେହରେ ଥିଲେ। ଡିବ୍ରୁଗଡର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତୀରକୁ କାଟି ଦିଆଗଲା। ହେଲେ ୧୫ ସେଣ୍ଟିମଟର ଲମ୍ବା ତୀର ତଥାପି ଗଳାରେ ଫଶି ରହିଥିଲା।

ଆସାମ ସରକାର ଶିବାଙ୍ଗିନୀ ଏବଂ ତାଙ୍କ ପରିବାରଙ୍କୁ ଦିଲ୍ଲୀ ପଠାଇବାର ବ୍ୟବସ୍ଥା କଲେ। ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେଲା। ଏମ୍‌ସ ଟ୍ରାଉମା ସେଣ୍ଟରରେ ନ୍ୟୁରୋ ସର୍ଜନ ଡା.ଦୀପକ କୁମାର ଗୁପ୍ତା ଏବଂ ତାଙ୍କ ଟିମ୍‌ ଅପରେଶନର ଗୋଟିଏ ଦିନ ପୂର୍ବରୁ ଶିବାଙ୍ଗିନୀଙ୍କ କୋଚଙ୍କଠାରୁ ସେମିତି ଆଉ ଏକ ତୀର ମଗାଇଲେ। ଯଦ୍ଦ୍ୱାରା ସେମାନେ ଜାଣିପାରିଲେ ତୀରଟି କେତିକି ଗଳା ଭିତରେ ପଶି ରହିଛି । ପରଦିନ ଦୀର୍ଘ ୪ ଘଣ୍ଟାର ଅସ୍ତ୍ରୋପ୍ରଚାର ପରେ ଶିବାଙ୍ଗିନୀ ଗଳାରୁ ସେହି ତୀର ବାହାର କରାଯାଇ ପାରିଥିଲା।

ଡାକ୍ତର ଦୀପକ କୁମାର ଗୁପ୍ତାଙ୍କ କହିବା ଅନୁଯାୟୀ, ଶିବାଙ୍ଗିନୀ ଜଣେ ବହୁତ ସାହସୀ ଝିଅ। ତାଙ୍କର ଏହି ସାହସ ଓ ଦୃଢ ମନୋବଳ ପାଇଁ ଏତେ ବଡ ଚ୍ୟାଲେଞ୍ଜଙ୍କୁ ସେମାନେ ସାମ୍ନା କରିପାରିଲେ। ତାଙ୍କର ଧୈର୍ଯ୍ୟ ପାଇଁ ହିଁ ସେମାନେ ଏତେ ସହଜରେ ତାଙ୍କ ଗଳାରୁ ତୀର ବାହାର ବାହାର କରିପାରିଲେ।

ଅନ୍ୟପକ୍ଷେ ଶିବାଙ୍ଗିନୀ ଓ ତାଙ୍କ ପରିବାର ମଧ୍ୟ ଡାକ୍ତର ଦୀପକ ଏବଂ ତାଙ୍କ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ଏତେ ବଡ଼ ବିପଦରୁ ମୁକ୍ତି ପାଇବା ପରେ ଶିବାଙ୍ଗିନୀଙ୍କର ନିଜ ଦକ୍ଷତା ଉପରେ ଭରସା ବଢିଯାଇଛି। ସେ କହିଛନ୍ତି ଏହି ଘଟଣା ପରେ ତାଙ୍କର ସ୍ୱପ୍ନ ଆହୁରି ବଡ଼ ହୋଇଯାଇଛି। ସେ ପୂର୍ବର ୱାର୍ଲଡ୍‌ ନମ୍ବର-1 ଦୀପିକା କୁମାରୀଙ୍କ ପରି ଅଲମ୍ପିକ୍ସ ଓ ୱାର୍ଲଡ ଚାମ୍ପିୟନସିପ୍‌ରେ ତୀରନ୍ଦାଜି କରିବାକୁ  ଚାହୁଁଛନ୍ତି। ସାହସୀ ଶିବାଙ୍ଗିନୀ ଭାରତୀୟ ଆର୍ମିରେ ସାମିଲ ହେବାର ସ୍ୱପ୍ନ ରଖିଛନ୍ତି।

 

You might also like