ଯୁବ ଇଞ୍ଜିନିୟର ବିବେକ ତିୱାରୀ ହତ୍ୟା ମାମଲା

ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଲେ ପରିବାର ଲୋକେ

ଲକ୍ଷ୍ନୌ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଇଂଜିନିୟର ବିବେକ ତିୱାରୀଙ୍କ ପରିବାର।  ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ ତାଙ୍କ ଦୁଇ ଝିଅଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଛନ୍ତି । ଦାବି କରିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅାଯାଉ।

ଗତକାଲି ରାଜ୍ୟର ଅାଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିବା କଳ୍ପନା ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅାଗକୁ ଅାସୁଥିବା କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ସାହସ ମିଳିଛି ବୋଲି କଳ୍ପନା କହିଛନ୍ତି।

ସେପଟେ ଏହାକୁ ନେଇ ଅାରମ୍ଭ ହୋଇଯାଇଛି ରାଜନୀତି। ଉତ୍ତରପ୍ରଦେଶରେ ଅାଇନକାନୁନ ବ୍ୟବସ୍ଥା ପୁରା ଭୁଶୁଡି ପଡିଥିବା ବିଏସପି ମୁଖ୍ୟ ମାୟାବତୀ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନକଲି ଏନକାଉଣ୍ଟର କହି ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି।

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ମୃତ ଇଂଜିନିୟରଙ୍କ ପରିବାର ପ୍ରତି ୨୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିସହ ଦୁଇ ଝିଅ ଓ ମାଆଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ଥାୟୀ ଜମା କରାଯିବ।  କଳ୍ପନାଙ୍କ ଯୋଗ୍ୟତା ଅନୁସାରେ ତାଙ୍କୁ ସରକାରୀ ଚାକିରି ଦିଅାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଘୋଷଣା କରିଛନ୍ତି।

ଇଂଜିନିୟର ବିବେକ ତିୱାରୀଙ୍କ ହତ୍ୟା ଘଟଣାକୁ ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରତିବାଦ ଜୋର ଧରିଛି। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସେମାନେ ନିନ୍ଦା କରିଛନ୍ତି। ସେପଟେ ଗୁଳିକାଣ୍ଡ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି।

You might also like