କ୍ଷତିକାରକ ନୁହେଁ ୨ୟ ଡୋଜର ଦୀର୍ଘ ବ୍ୟବଧାନ, ଶରୀରରେ ବୃଦ୍ଧି ପାଉଛି ୩୦୦% ଆଣ୍ଟିବଡି

ନୂଆଦିଲ୍ଲୀ:ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ନେଉଛି। ସଂକ୍ରମଣ ହାର କମୁଥିଲେ ହେଁ ମୃତ୍ୟୁ ହାର ଏବେ ବି ୪ ହଜାର ଉପରେ ରହିଛି ।  ଏପରି ସ୍ଥିତିରେ ଗୋଟିଏ ଭରସା ଭାକ୍ସିନ। ଦେଶରେ ପର୍ଯ୍ୟାପ୍ତ ଭାକ୍ସିନ ମିଳୁ ନ ଥିବାରୁ ଅନେକ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜକୁ ଅପେକ୍ଷା କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ହାର ଏବଂ ଭାକ୍ସିନକୁ ଅପକ୍ଷା… ଏମିତି ପରିସ୍ଥିତି ମଧ୍ୟରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଏକ ଷ୍ଟଡିରୁ ଜଣାପଡ଼ିଛି, ଭାକ୍ସିନର ଦ୍ୱିତୀୟ ଡୋଜର ବ୍ୟବଧାନ ବଢିଲେ ଶରୀରରେ  ୩୦୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇପାରେ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଭାକ୍ସିନର ୨ୟ ଡୋଜ୍‌ ବ୍ୟବଧାନରେ ଦୂରତା ବୃଦ୍ଧି, ସପ୍ଲାଇ ଏବଂ ଇମ୍ୟୁନିଟି ଉଭୟ ପାଇଁ ଭଲ। ଏହି ରିସର୍ଚ୍ଚରୁ ଜଣାପଡ଼ିଛି, ଭାକ୍ସିନର ୨ୟ ଡୋଜ ଡେରିରେ ନେଲେ ଭାଇରସ ସହ ଲଢୁଥିବା ଆଣ୍ଟିବଡିଜ୍‌ ସ୍ତର ୨୦ ପ୍ରତିଶତରୁ ୩୦୦ ପ୍ରତିଶତ ବୃଦ୍ଧି ପାଇପାରେ। ଏହି ନୂଆ ଷ୍ଟଡି ଭାରତ, ସିଙ୍ଗାପୁର ପରି ଅନେକ ବିକାଶଶୀଳ ଦେଶ ପାଇଁ ଲାଭଦାୟକ ହେବ।

ସିଙ୍ଗାପୁରରେ ଭାକ୍ସିନ ଅଭାବ କାରଣରୁ ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ୪ରୁ ୬ ସପ୍ତାହ ବୃଦ୍ଧି କରି ଦିଆଯାଇଛି। ଭାରତରେ ମଧ୍ୟ ସମାନ ସ୍ଥିତି । ଭାକ୍‌ସିନ ଠିକ ଭାବେ ଯୋଗାଇ ଦିଆଯାଇ ପାରୁନାହିଁ। ଯାହାଫଳରେ ଭାକ୍ସିନ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ବଢାଇ ଦେବାକୁ ପରାମର୍ଶ ଦିଆଯାଇଛି।

ଭାକ୍ସିନ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବା ନେଇ ତଥ୍ୟ ଆରମ୍ଭରେ ଉପଲବ୍ଧ ନ ଥିଲା। ହେଲେ ଏବେ ଏହି ରସର୍ଚ୍ଚରୁ ଜଣାପଡ଼ିଛି, ଭାକ୍ସିନର ପ୍ରଥମ ଡୋଜ ଇମ୍ୟୁନ ସିଷ୍ଟମକୁ ତିଆରି କରିଥାଏ ଏବଂ ଭାଇରସ ବିରୋଧରେ ଲଢିବା ପାଇଁ ଆଣ୍ଟିବଡି ତିଆରି କରିବା ଆରମ୍ଭ କରିଥାଏ। ଏହି ପ୍ରକିୟା ପାଇଁ ଯେତେ ଅଧିକ ସମୟ ମିଳିବ, ୨ୟ ଡୋଜର ପ୍ରତିକ୍ରିୟା  ସେତେ ଭଲ ହେବ ବୋଲି କୁହାଯାଉଛି। ଏହି ସୁବିଧା ସମସ୍ତ ଭ୍ୟାକ୍ସିନରେ ରହିଛି ବୋଲି ଉକ୍ତ ଷ୍ଟଡ଼ିରୁ ଜଣାପଡ଼ିଛି।

ତେବେ ଆଉ ଏକ ସମସ୍ୟା ଏଥିରେ ଦେଖିବାକୁ ମିଳିଛି। ଯଦି ୨ଟି ଡୋଜ ମଧ୍ୟରେ ଅଧିକ ବ୍ୟବଧାନ ରହିବ, ତେବେ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅଧିକ ସମୟ ଲାଗିବ। କାରଣ ଭାକ୍‌ସିନା ପ୍ରଥମ ଡୋଜରେ ସୁରକ୍ଷା ଅବଶ୍ୟ ମିଳିବ କିନ୍ତୁ ୨ୟ ଡୋଜ ନେବାର କିଛି ସପ୍ତାହ ପରେ  ବି ବ୍ୟକ୍ତିର ଇମ୍ୟୁନିଟି ସମ୍ପୂର୍ଣ୍ଣ ହୋଇ ନ ଥାଏ ବୋଲି କୁହାଯାଉଛି। ଅନ୍ୟପକ୍ଷେ କମ ପ୍ରଭାବୀ ଭାକ୍ସିନ ବ୍ୟବହାର କରୁଥିଲେ କିମ୍ବା ଅଧିକ ସଂକ୍ରାମକ ଭାରିଏଣ୍ଟ ବ୍ୟାପୁଥିଲେ ଦୁଇ ଡୋଜ ମଧ୍ୟରେ ଦୂରତା ବିପଦଜ୍ଜନକ ସାବ୍ୟସ୍ତ ହୋଇଥାଏ।

ଯାହା ବି ହେଉ, ଏକ୍ସପର୍ଟମାନଙ୍କ କହିବା ଅନୁଯାୟୀ, ଯଦି ୨ୟ ଡୋଜ ନେବାର ବ୍ୟବଧାନ ବୃଦ୍ଧି କରାଯାଏ ତେବେ ଅନେକ ଲୋକ ପ୍ରଥମ ଡୋଜ ନେଇ ପାରିବେ।

You might also like