କିଲର କରୋନା ପାଇଁ ଭାରତ ବାହାର କଲା ଏହି ମେଡିସିନ୍‌ !

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ରୋଗକୁ ନିୟନ୍ତ୍ରଣ କରିବାରେ ମେଡିକାଲ ସାଇନ୍ସ ତ ସଫଳ ହୋଇନାହିଁ। ତେବେ ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି।

ତେବେ ଏପରି ସମୟରେ ସଂକ୍ରମିତ ରୋଗୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏକ ଗବେଷଣାରୁ ଜଣାପଡ଼ିଛି, ଏଚଆଇଭି (HIV) ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ Lopinavir ଏବଂ  Ritonavir କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫଳପ୍ରଦ ପ୍ରମାଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦି ସରକାର ଫାର୍ମା କମ୍ପାନୀଗୁଡିକୁ ଏହି ଔଷଧର ପ୍ରଡକ୍ସନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରମୁଖ ଔଷଧ କମ୍ପାନୀ ସହ ଏକ ଆଲୋଚନା ହୋଇଥିଲା। ଏଚଆଇଭି ଔଷଧ ଷ୍ଟକ୍ ବଢାଇବା ପାଇଁ ଏସବୁ କମ୍ପାନୀକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  Lopinavir ଓ Ritonavir ଆଣ୍ଟି ରେଟ୍ରୋଭାଇରାଲ ଔଷଧ। ଏହା ଏଚଆଇଭିକୁ ପ୍ରତିରୋଧ କରିବା ସହ ସୁସ୍ଥ କୋଶିକାକୁ ଏଚଆଇଭି ଭୂତାଣୁରୁ ରକ୍ଷା କରେ।

ମନ୍ତ୍ରାଳୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁଇ ଔଷଧର ଷ୍ଟକ୍‌ ବୃଦ୍ଧି କରିବା ପାଇଁ କମ୍ପାନୀକୁ କୁହାଯାଇଛି । ଇଟାଲୀରୁ ଭାରତ ଆସିଥିବା ଦମ୍ପତିଙ୍କ ଚିକିତ୍ସା ପାଇଁ ଲୋପିନାୱିର ଏବଂ ରିଟୋନାୱିର ବ୍ୟବହାର କରାଯାଇଥିଲା । ଏହି ଦମ୍ପତି ଜୟପୁରରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚ୍ଚର ଡିଜି ଡାକ୍ତର ବଳରାମ ଭାର୍ଗବଙ୍କ କହିବା ଅନୁଯାୟୀ, ଦମ୍ପତିଙ୍କ ସହମତି କ୍ରମେ ଏହି ଦୁଇ ଔଷଧ  ଦ୍ୱାରା ସେମାନଙ୍କର ଚିକିତ୍ସା କରାଗଲା ଏବଂ ଏହାର ଫଳ ମଧ୍ୟ ଭଲ ମିଳିଲା। ପ୍ରାୟ ୧୪ ଦିନ ପରେ ସେମାନେ ସୁସ୍ଥ ହୋଇଥିଲେ।

ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ମଧ୍ୟ   Covid-19 ର ଚିକିତ୍ସା ପାଇଁ ଆଣ୍ଟି ଏଚଆଇଭି ଔଷଧ ବ୍ୟବହାର କରିବାକୁ ଅନୁମତି ଦେଇଛି।

You might also like