ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ନୂଆଦିଲ୍ଲୀ: କରୋନା ଭୂତାଣୁର ଆତଙ୍କ ସାରା ବିଶ୍ୱକୁ ନାକେଦମ୍ କରୁଥିବାବେଳେ ସାମ୍ନାକୁ ଆସିଲା ଆଉ ଏକ ନୂଆ ଭୂତାଣୁ। ଭାରତରେ ଏହି ନୂଆ ଭୂତାଣୁର ସଙ୍କେତ ପାଇଛି  Indian Council of Medical Research (ICMR)।

କୁହାଯାଉଛି, ଏହା ମଧ୍ୟ ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ରୋଚକ କଥା ହେଉଛି, ଏହି ଭାଇରସ୍‌ର ଉତ୍ପତ୍ତି ମଧ୍ୟ ଚୀନ୍‌ରୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଏହି ଭୂତାଣୁର ନାଁ Cat Que Virus (CQV)। କେବଳ ଭାରତ ନୁହେଁ, ପୂରା ଏସିଆ ମହାଦେଶ ପ୍ରତି ବିପଦ ଆଣିପାରେ ଏହି ନୂଆ ଭୂତାଣୁ। ଏଭଳି ସତର୍କ ସୂଚନା ଦେଇଛି ICMR। ଏନେଇ ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶ କରାଯାଇଛି।

କେତେ ବିପଦଜ୍ଜନକ ଏହି କ୍ୟାଟ୍ କ୍ୟୁ ଭାଇରସ୍ ? କେମିତି ବ୍ୟାପିଥାଏ CQV ? କେଉଁ ଜୀବଠୁ ଏହି ସଂକ୍ରମଣର ଉତ୍ପତ୍ତି ? ଆସନ୍ତୁ ଜାଣିବା…

ICMR ପକ୍ଷରୁ ରିପୋର୍ଟରେ ଉଲ୍ଲେଖ ଅଛି ଯେ, କ୍ୟାଟ୍ କ୍ୟୁ ଭାଇରସ୍ ଏକ ପ୍ରକାର Arthropod-borne virus(arboviruses)। ଚୀନ୍ ଓ ଭିଏତ୍‌ନାମରେ ଏଥିରେ ବହୁ ଲୋକ ସଂକ୍ରମିତ ହୋଇଛନ୍ତି। ସେଠାରେ ଥିବା ଘୁଷୁରି ଓ କ୍ୟୁଲେକ୍ସ ମଶାରେ ଏହି ଭୂତାଣୁର ଆଇଜିଏମ୍ ଓ ଆଇଜିଜି ଆଣ୍ଟିବଡି ଠାବ ହୋଇଛି। ତେଣୁ ଘୁଷୁରି ଶରୀରରେ ଏହି ଭୂତାଣୁ ପ୍ରାକୃତିକ ଭାବେ ରହିଛି ଏବଂ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ କରୁଛି ବୋଲି ଆଶଙ୍କା କରାଯାଉଛି। କ୍ୟାଟ୍ କ୍ୟୁ ଭାଇରସ୍‌ରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ, ଫେବ୍ରିଲ୍‌ ଇଲ୍‌ନେସ୍, ମେନିଞ୍ଜାଇଟିସ୍, ପେଡିଆଟ୍ରିକ ଏନସେଫିଲାଇଟିସ୍ ଆଦି ଘାତକ ରୋଗ ଦେଖାଦେଇପାରେ ବୋଲି ICMR କହିଛି। 

ଭାରତ ପ୍ରତି କାହିଁକି ରହିଛି CQV ବିପଦ ? ସଦ୍ୟ ପ୍ରକାଶିତ Indian Journal of Medical Research (IJMR)ରେ ଦର୍ଶାଯାଇଛି, ପୁଣେ ସ୍ଥିତ National Institute of Virology(NIV)ରେ ଗବେଷଣାରତ ICMRର ୭ ଜଣ ବୈଜ୍ଞାନିକ ଏହି ଭୂତାଣୁ ଭାରତକୁ ଆସି ସାରିଥିବା ଠାବ କରିଛନ୍ତି।

ବିଭିନ୍ନ ରାଜ୍ୟରୁ ସଂଗୃହିତ ୮୮୩ଟି ସିରମ୍ ନମୁନାରୁ ୨ଟିରେ ଏହି ବିପଦଜ୍ଜନକ ଭୂତାଣୁ ଚିହ୍ନଟ ହୋଇଛି। ଏହି ୨ଟି ସାମ୍ପଲ୍‌ କର୍ଣ୍ଣାଟକରୁ ୨୦୧୪ ଓ ୨୦୧୭ରେ ସଂଗୃହିତ ହୋଇଥିଲା। ସେଥିରେ CQVର ଆଣ୍ଟିବଡି ଥିବାରୁ ସେହି ବ୍ୟକ୍ତିମାନେ ଅତୀତରେ କେବେ ନା କେବେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟ କୌଣସି ନମୁନାରୁ CQV ଆଣ୍ଟିବଡି ଠାବ ହୋଇନଥିଲେ ମଧ୍ୟ, ଏହି ଭୂତାଣୁର ଭାରତରେ ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥିବା ସତର୍କ କରାଇଛି ICMR। କାରଣ ଭାରତରେ କ୍ୟୁଲେକ୍ସ ମଶା ରହିଛି ଏବଂ ଭାରତୀୟ ପ୍ରଜାତି ମଶାର ମଧ୍ୟ ଭୂତାଣୁ ବହନ କ୍ଷମତା ରହିଛି। ତେବେ କ୍ୟାଟ୍ କ୍ୟୁ ଭାଇରସ୍ କିଭଳି ବଂଶବୃଦ୍ଧି କରୁଛି ଏବଂ ମଶା ଦ୍ୱାରା କେତେ ଶୀଘ୍ର ବ୍ୟାପୁଛି, ତାହା ଜାଣିବାକୁ ବୈଜ୍ଞାନିକ ମାନେ ୩ଟି ଭାରତୀୟ ପ୍ରଜାତି ମଶାକୁ ନେଇ ଅଧିକ ଗବେଷଣା ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ, କ୍ୟୁଲେକ୍ସ ମଶା ଯୋଗୁ ବାତଜ୍ୱର ବା ଫାଇଲେରିଆ ଏବଂ ଜାପାନିଜ୍ ଏନସେଫିଲାଇଟିସ୍ ଭଳି ରୋଗ ମଧ୍ୟ ବ୍ୟାପିଥାଏ।

You might also like