ବେକାବୁ କରୋନାର ଦ୍ୱିତୀୟ ଲହର : ଦିନକରେ ସର୍ବାଧିକ ୧୫୦୧ ଜଣଙ୍କ ଜୀବନ ନେଲା ଭାଇରସ୍

ଗୋଟିଏ ଦିନରେ ୨.୬୧ ଲକ୍ଷ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ଆଜି ଦିନକରେ ସର୍ବାଧିକ ୧୫୦୧ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦କୁ ବୃଦ୍ଧି ପାଇଛି । ସେହିପରି ଆଜି ଦିନକରେ ସର୍ବାଧିକ ୨.୬୧ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୭,୮୮,୧୦୯ରେ ପହଞ୍ଚିଛି । ସେହିପରି କରୋନାକୁ ମାତ ଦେଇ ଏ‍ବେ ସୁଦ୍ଧା ୧ କୋଟି ୨୮ ଲକ୍ଷ ୦୯ ହଜାର ୬୪୩ରେ ଲୋକ ଘରକୁ ଫେରିଛନ୍ତି । ଅନ୍ୟପଟେ ଏବେ ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୮୦୧୩୧୬ । ସକ୍ରିୟ ରୋଗୀଙ୍କ ସଂଖ୍ୟା ହିସାବରେ ଏହି ସଂଖ୍ୟା ସର୍ବାଧିକ । ଗତକାଲି ୨୪ ଘଣ୍ଟାରେ ୨, ୩୪, ୬୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । 


ଦେଶରେ କରୋନାର ଦ୍ୱିତୀୟ ଲହରରେ ସ୍ୱାସ୍ଥ୍ୟବ୍ୟବସ୍ଥା ଭୁଶୁଡି ପଡିଛି। ଅଧିକାଂଶ ରାଜ୍ୟରେ ଅମ୍ଳଜାନ, ବେଡ୍ ଏବଂ ଟିକାର ଅଭାବ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ୧୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଆଇସିଏମଆର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୮୪,୯୫୬ ଜଣଙ୍କର ଟିକାକରଣ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସମୁଦାୟ ୧୨,୨୬,୨୨,୫୯୦ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

ଅନ୍ୟପଟେ ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ସ୍ଥିତି ନେଇ ଗତକାଲି ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କ ପାଇଁ ଔଷଧ, ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେଇ ସମୀକ୍ଷା ବୈଠକ ବସିଥିଲା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନକୁ ଅଧିକ ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ପଡ଼ିବ, ଯାହାଦ୍ୱାରା ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମୋଦି କହିଛନ୍ତି । ସେହିପରି କୋଭିଡ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ବେଡ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ମୋଦି କହିଛନ୍ତି । କରୋନା ପାଇଁ ରେମଡେସିଭିର ଓ ଅନ୍ୟାନ୍ୟ ମେଡିସିନର ଉପଲବ୍ଧତା ନେଇ ମଧ୍ୟ ସ୍ଥିତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଟିକା ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ମୋଦି ଗୁରୁତ୍ୱ ଦେଇଥିଲେ  ।

You might also like