ଅନାଥ ପିଲାଙ୍କୁ ମାସକୁ ମିଳିବ ତିନି ହଜାର ଟଙ୍କା , ୨୧ ବର୍ଷ ପର୍ଯ୍ୟନ୍ତ ଉଠାଇବେ ପଢ଼ାଖର୍ଚ୍ଚ

ଘୋଷଣା କଲେ ଉତ୍ତରାଖଣ୍ଡ ସରକାର

ଡେରାଡ଼ୁନ : କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର । ଉତ୍ତରାଖଣ୍ଡରେ ସଂକ୍ରମଣରେ ବାପାମା’ଙ୍କ ମୃତ୍ୟୁ ପରେ ଅନାଥ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ‘ମୁଖମନ୍ତ୍ରୀ ବାତ୍ସଲ୍ୟ ଯୋଜନା’ ଆରମ୍ଭ କରିଛନ୍ତି। ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ପଢାଖର୍ଚ୍ଚ ବହନ କରିବା ସହ ମାସକୁ ୩ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି  ତୀରଥ ସରକାର  ।

ତୀରଥ ସିଂ ରାୱତ କହିଛନ୍ତି, କରୋନାରେ ନିଜ ବାପାମା’ଙ୍କୁ ହରାଇଥିବା ପିଲାମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ସରକାର ଏଭଳି ଅନାଥ ପିଲାମାନଙ୍କର ୨୧ ବର୍ଷ ବୟସ ଶିକ୍ଷା, ନିଯୁକ୍ତି ପୂର୍ବ ତାଲିମ ସହିତ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବ୍ୟବସ୍ଥା କରିବେ। ଏହାସହ ସେମାନଙ୍କୁ ସରକାରୀ ଚାକିରିରେ ୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ । ଅନାଥ ପିଲାମାନଙ୍କର ପିତୃ ସମ୍ପତ୍ତି ପାଇଁ ମଧ୍ୟ ନିୟମ ପ୍ରସ୍ତୁତ କରାଯିବ । ଏହି ନିୟମ ଅନୁସାରେ ସାବଳକ ହେବା ପର୍ଯ୍ୟନ୍ତ କେହି ପୈତୃକ ସମ୍ପତ୍ତି ବିକ୍ରି କରିପାରିବେ ନାହିଁ । ଯେଉଁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି କରୋନା ସଂକ୍ରମଣ ହେତୁ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ମଧ୍ୟ ଏହି ସୁବିଧା ଦିଆଯିବ । ଆଉ ଏହାର ସମସ୍ତ ଦାୟିତ୍ୱ ନେବେ ଜିଲ୍ଲାପାଳ ।

ଶନିବାର ଅପରାହ୍ନରେ ସଚିବାଳୟରେ ଭିଡିଓ କନଫରେନ୍ସିଂର ସମୀକ୍ଷା କରିବା ସମୟରେ ଏପରି ପିଲାଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।  ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ  ସମ୍ପୂର୍ଣ୍ଣ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ତୀରଥ ସିଂ ରାୱତ । କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ।  ଚିକିତ୍ସା ବର୍ଜ୍ୟବସ୍ତୁକୁ ସଠିକ୍ ନିଷ୍କାସନ ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ତୃତୀୟ ଲହରୀରେ ପିଲାମାନଙ୍କ ଉପରେ ଫୋକସ୍ ରହିବ । ଏଥିପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମ୍ୟାପିଙ୍ଗ୍ କରିବାକୁ କୁହାଯାଇଛି । ତୃତୀୟ ଲହରୀରେ କଟକଣାକୁ କଡ଼ାକଡ଼ି କରିବା ସହ ଅଧିକ ସଚେତନ ରହିବାକୁ ପଡ଼ିବ । ଗ୍ରାମାଞ୍ଚଳରେ ଅଧିକ ଧ୍ୟାନ ଦେବାକୁ ହେବ । ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ । ସେହିପରି ରାଜ୍ୟରେ  ଯଥାସମ୍ଭବ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍, ମୋବାଇଲ୍ ଲ୍ୟାବ୍, ଦୁର୍ଗମ ଅଞ୍ଚଳ ପାଇଁ  ସ୍ୱତନ୍ତ୍ର ଭ୍ୟାନ୍ ପାଇଁ ବ୍ୟବସ୍ଥା କରାଯିବ ।

 

You might also like