ପାକିସ୍ତାନକୁ ଧକ୍କା: ସ୍ୱତନ୍ତ୍ର ବୁଡ଼ାଜାହାଜ ଦେବାକୁ ମନା କରିଦେଲା ଜର୍ମାନ

ବର୍ଲିନ: ଆତଙ୍କବାଦକୁ ନେଇ ପାକିସ୍ତାନ ନିଜର ଚେହେରା ଯେତେ ସଫା କରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବିଫଳ ହେଉଛି। ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେଉଥିବା କାରଣରୁ ପାକିସ୍ତାନକୁ ମିଳିଛି ପୁଣି ଏକ ଶକ୍ତ ଧକ୍କା। ଜର୍ମାନ ଚାନ୍‌ସେଲର ଆଞ୍ଜଲା ମେର୍କେଲ ପାକିସ୍ତାନ ନାଭିକୁ ସ୍ୱତନ୍ତ୍ର ବୁଡ଼ାଜାହାଜ AIP ( Air-Independent Propulsion ) ଯୋଗାଇ ଦେବାକୁ ମନା କରି ଦେଇଛନ୍ତି। ନିଜର ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଏହି ସ୍ୱତନ୍ତ୍ର ବୁଡ଼ାଜାହାଜ ଯୋଗାଇ ଦେବାକୁ ଜର୍ମାନକୁ ଅନୁରୋଧ କରିଥିଲା। କାରଣ ଏହି ସ୍ୱତନ୍ତ୍ର ବୁଡ଼ାଜାହାଜରେ ପାଣି ଭିତରେ ଏକାଧିକ ସପ୍ତାହ ରହିପାରିବାର ବ୍ୟବସ୍ଥା ରହିଛି। ହେଲେ ବର୍ଲିନ ପକ୍ଷରୁ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଜର୍ମାନ ଫେଡେରାଲ ସିକ୍ୟୁରିଟି କାଉନ୍‌ସିଲ ଅଗଷ୍ଟ ୬ ତାରିଖ ପାକିସ୍ତାନକୁ ଏହି ନିଷ୍ପତ୍ତି ଶୁଣାଇ ଦେଇଛି।

ହିନ୍ଦୁସ୍ଥାନ ଟାଇମ୍‌ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି AIP ବୁଡ଼ାଜାହାଜ ବିନା ପାକିସ୍ତାନ ତାହାର ନୌସେନାକୁ ଶକ୍ତିଶାଳୀ କରିପାରିବ ନାହିଁ।  କାରଣ AIP ବୁଡ଼ାଜାହାଜର ଡିଜେଲ ଇଞ୍ଜିନ୍‌ atmospheric air ବିନା ଏକାଧିକ ସପ୍ତାହ ପାଣିଭିତରେ ରହିପାରିବ। ଦୀର୍ଘଦିନ ପର୍ଯ୍ୟନ୍ତ ପାଣିର ପୃଷ୍ଠଭାଗକୁ ନ ଆସିଲେ ମଧ୍ୟ ଏହା ତାର ବ୍ୟାଟେରୀକୁ ରିଚାର୍ଜ କରିପାରିବ।  ଅନ୍ୟପକ୍ଷେ ସାଧାରଣ ବୁଡାଜାହାଜ ବ୍ୟାଟେରି ରିଚାର୍ଜ କରିବାକୁ ପ୍ରତି ଦୁଇ ଦିନରେ ଥରେ ପାଣି ଉପରକୁ ଆସିବାକୁ ପଡ଼ିଥାଏ ଏବଂ ଏହାଦ୍ୱାରା ଧରାପଡ଼ିଯିବାର ଆଶଙ୍କ ବଢିଯାଇଥାଏ।

ଚାଇନା-ପାକ୍ ମିଳତ ପ୍ରୋଜେକ୍ଟରେ ଚାଇନାରେ ନିର୍ମିତ ବୁଡ଼ାଜାହାଜ ପାକିସ୍ତାନ ପାଖରେ ରହିଛି। ହେଲେ ଜର୍ମାନ ନିର୍ମିତ ଏହି ବୁଡ଼ା ଜାହାଜ ଦ୍ୱାରା ନିଜର ଯୁଦ୍ଧ ଜାହାଜକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିଲା ପାକିସ୍ତାନ।

ମିଳିଥିବା ଖବରରୁ ଜଣାଯାଇଛି, ପାକିସ୍ତାନ ପ୍ରତି ଜର୍ମାନ ଏପରି ବିମୁଖ ହେବାର ମୁଖ୍ୟ କାରଣ ହେଉଛି ଆତଙ୍କବାଦ। ୨୦୧୭ରେ, କାବୁଲ ସ୍ଥିତ ଜର୍ମାନ ଦୂତାବାସ  ଉପରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ପାକିସ୍ତାନ ଅଭିଯୁକ୍ତଙ୍କୁ ଆଜିଯାଏ ଦଣ୍ଡ ଦେବାରେ ବିଫଳ ହୋଇଛି। ଏହି ବିସ୍ଫୋରଣରେ ପାଖାପାଖି ୧୫୦ ଜଣଙ୍କ ଜୀବନ ଯାଇଥିଲା। ଏହି ଆକ୍ରମଣ ପଛରେ ଇକ୍କାନୀ ନେଟ୍‌ୱାର୍କ ହାତ ରହିଛି ଏବଂ ଏହି ସଂଗଠନ ପ୍ରତି ପାକିସ୍ତାନର ସମର୍ଥନ ରହିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଯୋଜନା ପ୍ରସ୍ତୁତ କରିଥିଲା। ଇସ୍‌ଲାମ୍‌ବାଦ  ଏହି ଘଟଣାର ତଦନ୍ତ ଠିକ୍‌ ଭାବ କରି ନ ଥିବା ଜର୍ମାନ ଅଧିକାରୀ ଅଭିଯୋଗ କରିଥିଲେ।

ସୂଚନାଥାଉ କି, କିଛି ଦିନ ତଳେ ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସର ଗ୍ରେ ଲିଷ୍ଟରୁ ବାହାରିବା ପାଇଁ ପାକିସ୍ତାନ ତାର ଉଦ୍ୟମ ଜାରି ରଖିଛି। ଏପରିକି ୮୮ ଜଣ ଆତଙ୍କବାଦୀ ସଂଗଠନ ଏବଂ ଏହାର ମୁଖ୍ୟଙ୍କ ତାଲିକା ପ୍ରକାଶ କରିବା ସହ ସେମାନଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଥିଲା। ଏହି ତାଲିକାରେ ଅଣ୍ଡରୱାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମ, ହାଫିଜ ସଇଦ ଏବଂ ମସୁଦ ଅଜହରର ନାମ ମଧ୍ୟ ଥିଲା।

You might also like