ଅଜଣା ବ୍ୟକ୍ତିଙ୍କ ନୂଆବର୍ଷ ଭେଟି: ଗ୍ରାମବାସୀଙ୍କ ଆକାଉଣ୍ଟକୁ ଆସିଲା ହଜାର ହଜାର ଟଙ୍କା

ବିଜୟନଗରମ୍‌:ନୂଆ ବର୍ଷରେ ଆପଣାର ମଣିଷମାନେ ଉପହାର ଦେଇଥାନ୍ତି। କିଏ ଚକ୍‌ଲେଟ, କିଏ କେକ୍‌, କିଏ ଫୁଲତୋଡା..। ଉପହାରଟିଏ ପାଇଲେ କାହାକୁ ବା ଖୁସି ନ ଲାଗେ ? ଶିବରାମ୍‌ପୁରମ୍‌ ଗାଁ ଲୋକେ ବି ନୂଆବର୍ଷ ଉପହାର ପାଇ ବେଶ ଖୁସି । କିନ୍ତୁ ଦୁଃଖ ଏତିକି ଯେ, ଉପହାର ଦେଇଥିବା ଲୋକଙ୍କୁ ସେମାନେ ଧନ୍ୟବାଦ ଟିକିଏ ବି ଦେଇ ପାରୁନାହାନ୍ତି। କାରଣ ଏହି ଦାତା କିଏ ସେମାନେ ଜାଣିନାହାନ୍ତି।

ଡିସେମ୍ବର ୨୯ ତାରିଖ  ଗ୍ରାମର ପ୍ରାୟ ୨୦୦ ଜଣ ଲୋକଙ୍କ  ଆକାଉଣ୍ଟରେ ପଡିଥିଲା ଟଙ୍କା। ହଜାରେ ବା ୨ ହଜାର ନୁହେଁ। କାହା ଆକାଉଣ୍ଟରେ ୧୩ ହଜାର ତ କାହା ଆକାଉଣ୍ଟରେ ୧୫ ହଜାର। ଜାନୁଆରୀ ୧ ଦିନ ଯେତେବେଳେ କିଛି ଗ୍ରାମବାସୀ ଏଟିଏମରୁ ଟଙ୍କା ଉଠାଇବାକୁ ଗଲେ ଏହା ଜାଣିବାକୁ ପାଇଲେ। ଏହାପରେ ଜଣକ ପରେ ଜଣେ ଗଲେ। ପ୍ରାୟ ୨୦୦ ଗ୍ରାମବାସୀଙ୍କ ଆକାଉଣ୍ଟରେ ପଡ଼ିଥିଲା ଟଙ୍କା।

ଏମିତି ବି ହୋଇଥିଲା, ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଏହି ନୂଆ ବର୍ଷ ଭେଟି ଯାଇଥିଲା। ତେବେ ଗ୍ରାମାବସୀ ସ୍ପଷ୍ଟ କରିଛନ୍ତି ଏହି ଟଙ୍କା କୌଣସି ସରକାରୀ ଯୋଜନା ଟଙ୍କା ନୁହେଁ।

ଯେତେବେଳେ ଗ୍ରାମବାସୀ ଏଟିଏମରୁ ଟଙ୍କା ଉଠାଇବାକୁ ଗଲେ ସେତେବେଳେ ଏହି କଥା ଜାଣିବାକୁ ପାଇଥିଲେ। କଥା କାନରୁ ଦୁଇକାନ ହେବାପରେ ଜଣକ ପରେ ଜଣେ ଗ୍ରାମବାସୀ ଟଙ୍କା ଉଠାଇବାକୁ ଲାଗିଲେ। ଶେଷରେ ଜଣା ପଡ଼ିଲା, ଗ୍ରାମର ୨୦୦ ଲୋକଙ୍କ ଆକାଉଣ୍ଟରେ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏହି ଟଙ୍କା ଆସିଛି।

କାଳେ ଟଙ୍କା ପୁଣି ନେଇଯିବେ ସେହି ଭୟରେ ଗାଁ ଲୋକେ ନାଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହି କଥା ଜଣାଇଲେ ନା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ। ସାଲୁରୁ ମଣ୍ଡଳ ଜିଲ୍ଲା ପରିଷଦ ସଭ୍ୟାଙ୍କ କହିବା ଅନୁଯାୟୀ, ପଞ୍ଚାୟତ ସେକ୍ରେଟେରୀଙ୍କ ଠାରୁ ସେ ଏହି ଖବର ଜାଣିବାକୁ ପାଇଥିଲେ। ସେ ଏ ନେଇ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ। ଏହା କୌଣସି ସରକାରୀ ଯୋଜନା ଟଙ୍କା ନୁହେଁ। କେଉଁଠୁ ଏହି ଟଙ୍କା ଆସିଲା ଆମେ ତାହାର ଯାଞ୍ଚ କରୁଛୁ ବୋଲି ଜଣାଇଛନ୍ତି ସଂପୃକ୍ତ ବ୍ୟାଙ୍କ ଅଧିକାରୀ।

 

You might also like