ଯେଉଁ ହାତରେ ଝିଅର କାନ ମୋଡୁଥିଲେ, ସେଇ ହାତରେ ସାଲ୍ୟୁଟ ମାରିଲେ ବାପା
ବିଶାଖାପାଟଣା: ଯେଉଁ ଝିଅ ମୁଣ୍ଡ ଲଗାଇ ତାଙ୍କୁ ପ୍ରଣାମ କରୁଥିଲା, ଯେଉଁ ଝିଅକୁ ଅନ୍ତରରୁ ଆଶୀର୍ବାଦ ଅଜାଡି ଦେଉଥିଲେ ସେଇ ଝିଅକୁ ସାଲ୍ୟୁଟ ମାରିଲେ ବାପା। ହେଲେ ବାପାଙ୍କ ମନରେ ନ ଥିଲା ଦୁଃଖ କି ଅନୁଶୋଚନା। ବରଂ ସେ ହସୁଥିଲେ। ଭାବୁଥିଲେ, ଏଇ ହାତରେ ଦିନେ ଝିଅର ହାତ ଧରି ଚାଲି ଶିଖାଇଥିଲି, ଏଇ ହାତରେ ମାଡ଼ ଦେଇ ଶାସନ କରିଥିଲି। ଆଜି ଏଇ ହାତରେ ସାଲ୍ୟୁଟ ମାରୁଛି..ଏହା ଭାଗ୍ୟ ନୁହେଁ ତ ଆଉ କ’ଣ। ଏମିତି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ।
ଗୋଟିଏ ଅଫିସରେ ବାପା ଇନ୍ସପେକ୍ଟର ଆଉ ଝିଅ DSP। ବାପା ଝିଅକୁ ଅଫିସରେ ସାଲ୍ୟୁଟ ମାରୁଛନ୍ତି। ଆନ୍ଧ୍ର ପୋଲିସ ରବିବାର ଟୁଇଟ୍ କରି ଏହି ଫଟୋ ଶେୟାର କରିଛି। ଏହି ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହୋଇଛି। ଆନ୍ଧ୍ର ପ୍ରଦେଶର ଫାଷ୍ଟା ଡ୍ୟୁଟି ମିଟ୍ରେ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଉପସ୍ଥିତି ପୋଲିସ ଅଧିକାରୀଙ୍କ ଆଖି ବି ଭରି ଯାଇଥିଲା।
ପିଲାବେଳେ ଏଇ ହାତରେ ମାଡ ଦେଉଥିଲେ ବି ଆଜି ଆଖିକୁ ଆଖି ମିଶେଇ କର୍ତ୍ତବ୍ୟ ପାଳନ କରିଛନ୍ତି ପିତାପୁତ୍ରୀ ଉଭୟ। ବାପାଙ୍କ ଛାତି କୁଣ୍ଢେମୋଟ। କାରଣ ସମୟ ଉଭୟଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କଲା ଆଉ କର୍ତ୍ତବ୍ୟ ଝିଅକୁ ସାଲ୍ୟୁଟ୍ ମାରିବାକୁ କହିଲା। ସୌଜନ୍ୟ ଦୃଷ୍ଟିରୁ ବରିଷ୍ଠ ଅଧିକାରୀଙ୍କୁ ସାଲ୍ୟୁଟ ମାରିଥିଲେ ଶ୍ୟାମ। ଝିଅ ପ୍ରଶାନ୍ତି ମଧ୍ୟ ହସ ହସ ମୁହଁରେ ବାପାଙ୍କ ସାଲ୍ୟୁଟ୍ ଗ୍ରହଣ କରିଥିଲେ।
ଏବେ ଏହି ସାଲ୍ୟୁଟର ଫଟୋଟି ସବୁଦିନ ପାଇଁ ସ୍ମୃତି ହୋଇ ରହିଗଲା। କଥାରେ କଥାରେ କେହି ହୁଏତ କିଛି କହି ନାହାନ୍ତି। କିନ୍ତୁ ପିତା ଭାବେ ନିଜ ଝିଅକୁ ଯୋଗ୍ୟ କରିଥିବା ଆତ୍ମତୃପ୍ତି ଏହି ଫଟୋରେ ଶ୍ୟାମ ସୁନ୍ଦରଙ୍କ ମୁହଁରୁ ବାରି ହୋଇ ପଡିଥିଲା। ସାଲ୍ୟୁଟ୍ ବେଳର ହସରୁ ପଢି ହୋଇ ଯାଉଥିଲା ମନର କଥା। ସେଉ ହସ, ସେଉ ସାଲ୍ୟୁଟ୍ ଆଜି ଭାଇରାଲ ହେଉଛି।