ଡିଏସ୍‌ପିଙ୍କ ବଡ଼ ଖୁଲାସା: ଆତଙ୍କୀ ଲିଙ୍କ୍‌ରେ ଅଛନ୍ତି ଆଉ ଜଣେ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ହିଜ୍‌ବୁଲ୍‌ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିଜ ଗାଡ଼ିରେ ବସାଇ ଗିରଫ ହୋଇଥିବା ଡିଏସପି ଦବିନ୍ଦର ସିଂହଙ୍କୁ ପୁଲିସ ଜେରା କରୁଛି। ଜେରାବେଳେ ଦବିନ୍ଦର ଏପରି କଥା କହିଛନ୍ତି ଯାହା ଶୁଣିବା ପରେ ବରିଷ୍ଠ ଅଧିକାରୀଙ୍କ ହୋସ୍‌ ଉଡି ଯାଇଛି। ଦବିନ୍ଦର ଅଭିଯୋଗ କରିଛନ୍ତି ଯେ, ପୁଲିସରେ ଥିବା ଅନ୍ୟଜଣେ ବରିଷ୍ଠ ଅଧିକାରୀ ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି। ତେବେ ଦବିନ୍ଦର ନିଜ ଭୁଲ୍‌ ପାଇଁ ଅନୁତାପ ମଧ୍ୟ କରିଛନ୍ତି। ଆତଙ୍କବାଦୀଙ୍କ ସାହାଯ୍ୟ କରି ସେ ବଡ ଭୁଲ୍‌ କରିଛନ୍ତି ବୋଲି କହିଛନ୍ତି।

ଜମ୍ମୁ-କାଶ୍ମୀର ପୁଲିସର କହିବା ଅନୁଯାୟୀ, ଆତଙ୍କବାଦୀଙ୍କୁ ଜମ୍ମୁରେ ପହଞ୍ଚାଇବା ପାଇଁ ଦବିନ୍ଦର ୧୦ ଲକ୍ଷ ଟଙ୍କା ନେଇଥିଲେ। ତେବେ ଅନ୍ୟଜଣେ ବରିଷ୍ଠ ପୁଲିସ ଅଧିକାରୀ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବା ସେ କହିଛନ୍ତି। ତେବେ ପୁଲିସ ଏହାର ତଦନ୍ତ କରିବ। କାରଣ ତଦନ୍ତକୁ ବାଟବଣା କରିବା ପାଇଁ ଦବିନ୍ଦର ଏପରି କହିଥାଇ ପାରନ୍ତି ବୋଲି ବି ସେମାନେ ସନ୍ଦେହ କରୁଛନ୍ତି।

ଜେରାବେଳେ ଦବିନ୍ଦର କହିଛନ୍ତି, ଦବିନ୍ଦର ଗତବର୍ଷ ହିଜ୍‌ବୁଲ୍‌ ଆତଙ୍କବାଦୀ ନବୀଦ ବାବୁଙ୍କୁ ଜମ୍ମୁ ନେଇ ଯାଇଥିଲେ। ଏଥିପାଇଁ ନବୀଦ ତାଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ। ସେତେବେଳେ ୨ ମାସ ପାଇଁ ଜମ୍ମୁରେ ରହିଥିଲା। ୧୧ ଜାନୁଆରୀରେ ଯେତେବେଳେ ନବୀଦଙ୍କ ସହ ଆଉ ଜଣେ ଆତଙ୍କୀଙ୍କୁ ନିଜ ଗାଡ଼ିରେ ବସାଇ ଦବିନ୍ଦର ଆଣୁଥିଲେ, ଧରାପଡ଼ି ଯାଇଥିଲେ। ଅବଶ୍ୟ ସେତେବେଳେ ଦବିନ୍ଦର କହିଥିଲେ, ସେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ନେଇ ଯାଉଥିଲେ।

ଏକଥା ବି କୁହାଯାଉଛି, ଦବିନ୍ଦର ସିଂହଙ୍କ ହିଜ୍‌ବୁଲର ରଫୀ ନାମକ ଜଣେ ଆତଙ୍କବାଦୀ ସହ ସମ୍ପର୍କ ଥିଲା। ଲୋକଙ୍କୁ ପାକିସ୍ତାନ ନେଇଯବାର ଦାୟିତ୍ୱ ରଫୀର ଥିଲା। ତଥ୍ୟ ଅନୁସାରେ, ଦିନେ/ଦୁଇଦିନ ମଧ୍ୟରେ ଏନଆଇଏର ଟିମ୍‌ ଶ୍ରୀନଗରରେ ପହଞ୍ଚିବ ଏବଂ ଦବିନ୍ଦରଙ୍କୁ ନେଇ ଦିଲ୍ଲୀ ଯିବ। ସେଠାରେ ତାଙ୍କୁ ଜେରା କରାଯିବ।

ଯାଞ୍ଚ ବେଳେ ଏକଥା ମଧ୍ୟ ଜଣାପଡିଛି, ଦବିନ୍ଦରଙ୍କର ଡ୍ରଗ୍‌ସ ମାଫିଆଙ୍କ ସହ ସମ୍ପର୍କ ଥିଲା। ଦବିନ୍ଦର ପୁଲୱାମାର ତ୍ରାଲରେ ରୁହନ୍ତି। ଏଠି କହି ରଖିବୁ, ପୁଲୱାମାର ତ୍ରାଲକୁ ଆତଙ୍କବାଦୀଙ୍କ ଗଡ଼ ବୋଲି କୁହାଯାଏ। ଆତଙ୍କବାଦୀ ବୁରହାନ ବାନୀ ଓ ଜାକିର ମୁସା ଏହି ଅଞ୍ଚଳରେ ରୁହନ୍ତି। ତ୍ରାଲ୍‌ରେ ଦବିନ୍ଦରଙ୍କ ପୈତୃକ ସମ୍ପତ୍ତି ମଧ୍ୟ ରହିଛି। ସିଂହଙ୍କ ପରିବାରରେ ତାଙ୍କର ପତ୍ନୀଙ୍କ ସହ ୨ ସନ୍ତାନ ମଧ୍ୟ ଅଛନ୍ତି। ତାଙ୍କର ଗୋଟିଏ ଝିଅ ବାଂଲାଦେଶରେ ଏମ୍‌ବିବିଏସ୍‌ ପଢୁଛି ଏବଂ ପୁଅ ଶ୍ରୀନଗରରେ ପଢୁଛି।

 

You might also like