ପୁରା ଦେଶୀ କାର, ନା ଅଛି ପେଟ୍ରୋଲ.. ନା ପ୍ରଦୂଷଣ, ଭିଡିଓ ହେଲ ଭାଇରାଲ୍‌

ନୂଆଦିଲ୍ଲୀ: ଦେଶୀ କାର। କାରରେ ବସିବାର ଆନନ୍ଦ ମିଳିବ। ନା ଅଛି ପ୍ରଦୂଷଣ ନା ପ୍ରେଟ୍ରୋଲ ଚିନ୍ତା।  ଆପଣ ଅନେକ କାର ଦେଖିଥିବେ। ହେଲେ ଏମିତି କାର ଦେଖିଛନ୍ତି କି ? ଏମିତି ଏକ ଅଜିବ କାର ଆଜି ଆପଣଙ୍କୁ ଆମେ  ଦେଖାଇବୁ। ଏହି ଆଗରେ ଫିକା ପଡିଯିବ ବିଶ୍ୱର ନାମୀଦାମୀ କାର। ଏମିତିକି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲନ ମସ୍କ ଓ ଟେସ୍ଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଏବେ ଆସନ୍ତୁ ଦେଖିବା ସେହି କାରକୁ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଆନନ୍ଦ ନିଜ ଟ୍ୱିଟରରେ ଏହି ପୋଷ୍ଟ କରି  ପ୍ରଶଂସକଙ୍କ ମନ ଜିଣିଛନ୍ତି। ଆଉ ଏହି ମଜାଳିଆ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବା ପରେ ଅନେକ ପ୍ରଶଂସକ ଭିଡିଓଟିକୁ ସେୟାର କରିବା ସହ ଲାଇକ ମଧ୍ୟ କରୁଛନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଏହି ଦେଶୀ କାର ଭିଡିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ନିଜ ଟ୍ୱିଟର ଆକାଉଣ୍ଟରେ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋତେ ଲାଗୁଛି ଏଲନ ମସ୍କ ଓ ଟେସ୍ଲା ନବୀକରଣ ଉର୍ଜା ଦ୍ୱାରା ସଞ୍ଚାଳିତ କାର ଏହି ଭାରତୀୟ କାରକୁ ମୁକାବିଲା କରିପାରିବ। ତେବେ ଏହାର ନିର୍ମାଣ ପ୍ରଣାଳୀ ବିଷୟରେ ସେ ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି।’

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ମଜାଳିଆ ଭିଡିଓ ଦକ୍ଷିଣ ଭାରତର ବୋଲି କୁହାଯାଉଛି। ଭିଡିଓରେ ଏକ ଶଗଡ଼ ଗାଡି ରାସ୍ତା ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଶଗଡ଼ର ପଛପଟ ଭାଗରେ ଆମ୍ବାସେଡର କାରର ଏକ ଅଂଶ ଲାଗିଛି। ତାକୁ ବହୁତ ସୁନ୍ଦର ଭାବେ ସଜା ଯାଇଛି।  ପଛପଟୁ ଦେଖିଲେ ଆପଣ ଜାଣି ପାରିବେ ନାହିଁ ଏହା ଶଗଡ଼ ବୋଲି। ତବେ ଏହି ଶଗଡ଼ରେ ଯିଏ ବସନ୍ତି ତାଙ୍କୁ ଆମ୍ବାସେଡର ଲାଗିଥିବା ଅଂଶରେ ହିଁ ବସିବାକୁ ପଡିଥାଏ। କାରଟିକୁ ବଳଦ ଟାଣୁଥିବା ଦେଖିବାକୁ ମିଳିଛି।

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଭିଡିଓକୁ ୪ ହଜାରରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି। ଏମିତିକି ଭିଡିଓଟି ଏବେ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।

You might also like