ଟ୍ରେନ୍‌ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା

  • ଟ୍ରେନ୍‌ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା
  • ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍‌‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ
  • ଅଫିସ୍‌ ଗାଡ଼ିରେ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ

ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍‌ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ ନାୟକ ବୋଲି ଜଣାପଡ଼ିଛି। ସେ ପୁଣେ ସ୍ଥିତ Armed Forces Medical College(AFMC) କାର୍ଯ୍ୟରତ ଥିଲେ। ସେ AFMCର ହସ୍ପିଟାଲ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍ ଡିପାର୍ଟମେଣ୍ଟର ମୁଖ୍ୟ ଥିଲେ।

ସୂଚନା ଅନୁସାରେ, AFMCରେ କାର୍ଯ୍ୟରତ ବ୍ରିଗେଡିୟର ଅନନ୍ତ ନାୟକ ଗତକାଲି ସକାଳେ ସରକାରୀ ଗାଡ଼ିରେ ପୁଣେ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ। ଅପରାହ୍ଣ ୧୨ଟା ୩୦ରେ ପ୍ଲାଟ୍‌ଫର୍ମ ନଂ ୩ରେ ଯେତେବେଳେ ଉଦ୍ୟାନ ଏକ୍ସପ୍ରେସ୍ ପହଞ୍ଚିଥିଲା, ଏହି ସମୟରେ ଅନନ୍ତ ନାୟକ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯାଞ୍ଚ ସମୟରେ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ଅନନ୍ତ ନାୟକଙ୍କ ମୃତ୍ୟୁ ଖବର ନେଇ ଭୁବନେଶ୍ୱରରେ ରହୁଥିବା ତାଙ୍କ ପୁଅ ଅଭିଷେକ ନାୟକଙ୍କୁ ଜଣାଇ ଦିଆଯାଇଛି। AFMC କାର୍ଯ୍ୟାଳୟକୁ ମଧ୍ୟ ଏସମ୍ପର୍କରେ ଅବଗତ କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି, ବ୍ରିଗେଡିୟର ଅନନ୍ତ ନାୟକ ପ୍ଲାଟ୍‌ଫର୍ମ ନଂ ୧ରେ ଚାଲି ଚାଲି ଯାଉଛନ୍ତି। ସେ ଚେନ୍ନାଇ ଏକ୍ସପ୍ରେସ୍‌ ସମ୍ମୁଖକୁ ଡେଇଁ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ଏଥିରେ ସଫଳ ହୋଇପାରିନଥିଲେ।

ରେଲ୍‌ୱେ ପୋଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ‘ବ୍ରିଗେଡିୟର ଅନନ୍ତ ନାୟକ ଅଫିସ୍‌ ଗାଡ଼ିରେ ପୁଣେ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ସେ ୟୁନିଫର୍ମରେ ଥିଲେ। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ସେ ଷ୍ଟେସନ ଭିତରକୁ ପ୍ରବେଶ କରିବା ସମୟରେ ତାଙ୍କ ଡ୍ରାଇଭର ବାହାରେ ଅପେକ୍ଷା କରିଥିଲେ। ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ସେ ଚେନ୍ନାଇ ଏକ୍ସପ୍ରେସ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ। ହେଲେ ସେ ବଞ୍ଚି ଯାଇଥିଲେ। ତେବେ ପ୍ଲାଟ୍‌ଫର୍ମ ନଂ ୩ରେ ଉଦ୍ୟାନ ଏକ୍ସପ୍ରେସ୍‌ ଯେତେବେଳେ ପହଞ୍ଚିଥିଲା, ଏହି ସମୟରେ ସେ ଚଳନ୍ତା ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ’।

ବ୍ରିଗେଡିୟର ଅନନ୍ତ ନାୟକ ଆର୍ମି ୟୁନିଫର୍ମରେ ଥିବାରୁ ଘଟଣା ପରେ ତତ୍‌କ୍ଷଣାତ ରେଲ୍‌ୱେ ପୋଲିସ୍‌ ଏସମ୍ପର୍କରେ ସେନା ଅଧିକାରୀଙ୍କୁ ଜଣାଇଥିଲେ। ଖବରପାଇ ସେନାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆତ୍ମହତ୍ୟା କାରଣ ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୋଷ୍ଟମର୍ଟମ ପାଇଁ ମୃତଦେହ ପଠା ଯାଇଛି।

You might also like