ଆଇଇଡ଼ି ବିସ୍ପୋରଣର ତଦନ୍ତ ଆରମ୍ଭ

ବିସ୍ଫୋରଣର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଆରମ୍ଭ ହୋଇଛି। ଏନଆଇଏ, ଏଟିଏସ୍, ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ଛାନଭିନ୍ ଚଳାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ଗୋଟିଏ କାରରେ ଆସି ପ୍ଲାଷ୍ଟିକରେ ଗୁଡ଼ା ହୋଇଥିବା ଆଇଇଡିକୁ ଫିଙ୍ଗି ଦେଇ ପଳାଇଥିଲା। ତେବେ ଅଧିକ ତଥ୍ୟ ସଂଗ୍ରହ ଲାଗି ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ସେପଟେ ବିସ୍ଫୋରଣ ପରେ ଦିଲ୍ଲୀ ସମେତ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର, ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁମ୍ବାଇର ସିଏସଟିରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏହାଛଡ଼ା ହରିଦ୍ୱାରରେ ମହାକୁମ୍ଭ ହେବାକୁ ଯାଉଥିବାରୁ ଉତ୍ତରାଖଣ୍ଡର ୪ଟି ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି। ସେପଟେ ବିସ୍ଫୋରଣର ତଦନ୍ତ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଏନେଇ ସେ ଦିଲ୍ଲୀ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ବାତିଲ କରି ବିସ୍ଫୋରଣ ସଂପର୍କରେ ସମୀକ୍ଷା ବୈଠକ ଡାକିଛନ୍ତି ଶାହ। ଗତକାଲି ସଂଧ୍ୟାରେ ହୋଇଥିବା ଏହି ବିସ୍ଫୋରଣରେ ରାସ୍ତାକଡ଼ରେ ଥିବା ୩ରୁ ୪ଟି କାରର କାଚ ଭାଙ୍ଗିଛି। ବିଜୟଚୌକରେ ଧ୍ୱଜାବତରଣ ଉତ୍ସବ ଚାଲିଥିବା ବେଳେ ମାତ୍ର ୨ କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣ ହୋଇଥିବା ସ୍ଥାନରୁ ଏକ ଲଫାପା ମଧ୍ୟ ମିଳିଛି।ଯେଉଁଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଲେଖାଯାଇଛି । ଯାଞ୍ଚ ଟିମ ଏବେ ଏହି ଲଫାଫା କୁ ଜବତ କରି ଯାଞ୍ଚ କରୁଥିବା ନେଇ ସୂଚନା ମଧ୍ୟ ରହିଛି।

ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତାବାସ ନିକଟରେ ଗତକାଲି ଅପରାହ୍ନରେ ବିସ୍ଫୋରଣ ଘଟଣା ପରେ ପୁରା ଦିଲ୍ଲୀ ପୁଲିସ ସହ ଗୃହ ମନ୍ତ୍ରଣାଳୟ ପୂରା ଆଲର୍ଟରେ ରହିଛି। ବିସ୍ଫୋରଣ ବାବଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁଙ୍କୁ ଅବଗତ କରାଯାଇଥିବା ବେଳେ ସେ କହିଛନ୍ତି ଯେ ଭାରତ ଉପରେ ତାଙ୍କର ପୁରା ଭରସା ଅଛି। ଅନ୍ୟ ପଟେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୋଷୀଙ୍କୁ ଛଡ଼ାଯିବ ନାହିଁ।

You might also like