ଦେଶର କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି

ନୂଆଦିଲ୍ଲୀ: ଦେଶରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି। ଅର୍ଥାତ ଆକ୍ଟିଭ୍‌ କେସ୍ ହିସାବରେ ଏବେ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍।

ସେହିଭଳି ଆରୋଗ୍ୟ ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ୧୨ ଶହ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏଯାଏ ୧୬ ହଜାର ୫୦୦ ଜଣ ସୁସ୍ଥ ହେବା ସହ ଆରୋଗ୍ୟ ହାର ୨୯ ଦଶମିକ ୩୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ୧୦୩ ଜଣଙ୍କ ଜୀବନ ଯିବା ସହ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ହଜାର ୮୮୬ରେ ପହଂଚିଛି।

ଗତ ୨୪ ଘଣ୍ଟାରେ ୩ ହଜାର ୩୯୦ ନୂଆ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ୩୪୨ରେ ପହଂଚିଛି।

୩୭ ହଜାର ୯୧୬ ଜଣଙ୍କ ଚିକିତ୍ସା ଚାଲିଛି। ସେହିଭଳି ଦେଶରେ ୨୧୬ ଜିଲ୍ଲାରେ ଏଯାଏଁ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିନାହିଁ। ଏବଂ ୪୨ଟି ଜିଲ୍ଲାରେ ଗତ ୨୮ ଦିନ ଧରି କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ବୋଲି ସେ କହିଛନ୍ତି।

You might also like