ସଂକୀର୍ଣ୍ଣ ରାଜନୀତି ଛାଡ଼ି ରାହୁଲ ମଧ୍ୟ ଦେଶ ସହିତ ଛିଡ଼ା ହେବା ଉଚିତ: ଅମିତ ଶାହ
ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଶସ୍ତା ରାଜନୀତି ଛାଡ଼ି ଦେଶ ସହିତ ଛିଡ଼ା ହୁଅନ୍ତୁ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରଶ୍ନର ଆଜି ଏମିତି ଢଙ୍ଗରେ ଯବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଲୱାନ୍ରେ ୨୦ ଭାରତୀୟ ଯବା ସହିଦ ହେବା ନେଇ କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଇଥିଲେ ରାହୁଲ୍। ଗଲୱାନ୍ ସଂଘର୍ଷରେ ଆହତ ହୋଇଥିବା ଜଣେ ଯବାନଙ୍କ ବାପାଙ୍କର ଫଟୋ ଶେୟାର କରି ରାହୁଲ୍ଙ୍କୁ ଯବାବ ଦେଇଥିଲେ ଶାହ।
ଫଟୋ ଶେୟାର କରି ଶାହ ଲେଖିଛନ୍ତି, “ ସାହସୀ ଯବାନଙ୍କ ବାପା ଯାହା କହିଛନ୍ତି ତାହା ରାହୁଲ୍ ଗାନ୍ଧିଙ୍କ ପାଇଁ ଏକ ଶିକ୍ଷା। ଯେଉଁ ସମୟରେ ସାରା ଦେଶ ଏକାଠି ହୋଇଛି, ସେଠି ରାହୁଲ ଗାନ୍ଧି ବି ସଂକୀର୍ଣ୍ଣ ରାଜନୀତିରୁ ବାହାରି ଦେଶ ସହିତ ଛିଡ଼ା ହୁଅନ୍ତୁ।”
ଶାହ ଯେଉଁ ବ୍ୟକ୍ତିଙ୍କର ଫଟୋ ଶେୟାର କରିଛନ୍ତି ସେ ହେଉଛନ୍ତି ଗଲୱାନ ସଂଘର୍ଷରେ ଆହତ ହୋଇଥିବା ଜଣେ ଯବାନଙ୍କ ବାପା। ଖବର ସରବରାହ ସଂସ୍ଥା ଏଏନ୍ଆଇ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ବ୍ୟକ୍ତି ଜଣକ କହିଥିଲେ “ ଭାରତୟ ଯବାନ ବହୁତ ଶକ୍ତିଶାଳୀ, ସେମାନେ ଚାଇନାକୁ ହରାଇପାରିବେ। ରାହୁଲ ଗାନ୍ଧୀ ଆପଣ ସବୁବେଳେ ରାଜନୀତି କରନ୍ତୁ ନାହିଁ। ମୋ ପୁଅ ବି ଏହି ସେନାର ଲଢ଼ିଛି ଓ ଆଗକୁ ମଧ୍ୟ ଲଢ଼ିବ।”
A brave armyman’s father speaks and he has a very clear message for Mr. Rahul Gandhi.
At a time when the entire nation is united, Mr. Rahul Gandhi should also rise above petty politics and stand in solidarity with national interest. https://t.co/BwT4O0JOvl
— Amit Shah (@AmitShah) June 20, 2020
ଏହା ପୂର୍ବରୁ ଗଲ୍ୱାନ ସଂର୍ଷକୁ ନେଇ ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେ କହିଥିଲେ, ଚାଇନାର ଆକ୍ରୋଶରେ ଡରି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସୀମାକୁ ଚୀନକୁ ସମର୍ପଣ କରିଛନ୍ତି। ଯଦି ଏହି ସ୍ଥାନଟି ଚାଇନାର ଥିଲା, ତେବେ କାହିଁକି ଆମର ଯବାନ ସହିଦ ହେଲେ ?, କେଉଁଠି ସେମାନେ ସହିଦ ହେଲେ ବୋଲି ରାହୁଲ୍ ପ୍ରଶ୍ନ କରିଥିଲେ।
ଶୁକ୍ରବାର ମଧ୍ୟ ଏହି ସମ୍ପର୍କରେ ଟିପ୍ପଣୀ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ରାହୁଲ। ସର୍ବଦଳୀୟ ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଚାଇନା ଆମର ସୀମାର କୌଣସି ସ୍ଥାନ ଅକ୍ତିଆର କରି ନାହିଁ। ଏହାପରେ ରାହୁଲ୍ ପିଏମ୍ ମୋଦିଙ୍କୁ ଏଭଳି ପ୍ରଶ୍ନ କରିଥିଲେ। ରାହୁଲ୍ କହିଥିଲେ କାହିଁକି ଚାଇନା ଆମ ସୀମା ଅକ୍ତିଆର କଲା ? ବିନା ଅସ୍ତ୍ରରେ ସହିଦ ହେବା ପାଇଁ କାହିଁକି ଆମ ଯବାନ ସେଠାକୁ ପଠାଯାଇଥିଲା ? ବୋଲି ପ୍ରଶ୍ନ କରିଥିଲେ ରାହୁଲ।