ଆନ୍ଦୋଳନରତ ଚାଷୀଙ୍କୁ କ’ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହ ?
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ପଞ୍ଜାବ କୃଷକ ସଂଘ। ଦିଲ୍ଲୀର ଯନ୍ତରମନ୍ତର ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକଙ୍କୁ ନିବେଦନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିନ୍ତୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି।
କେନ୍ଦ୍ରର କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ କେନ୍ଦ୍ର ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
କୃଷିମନ୍ତ୍ରୀ ଆସନ୍ତା ୩ ତାରିଖରେ ଚାଷୀଙ୍କ ସହ ଆଲୋଚନା ପାଇଁ ଡାକିଛନ୍ତି। ଯଦି ୩ ତାରିଖ ପୂର୍ବରୁ ବି ଆଲୋଚନା କରିବାକୁ ଚାଷୀ ଚାହିଁବେ, ସରକାର ପ୍ରସ୍ତୁତ। କିନ୍ତୁ ରାଜରାସ୍ତାକୁ ଅବରୋଧ ନକରି ଏବଂ ଶୀତ କାକରରେ ପଡ଼ି ନରହି ଦିଲ୍ଲୀରେ ନିର୍ଦ୍ଧାରିତ ସ୍ଥାନକୁ ଆସି ସେମାନେ ଆନ୍ଦୋଳନ କରନ୍ତୁ ବୋଲି ଶାହା ଅପିଲ୍ କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରେ ଚାଷୀଙ୍କୁ ଆନ୍ଦୋଳନ ପାଇଁ କହିଛନ୍ତି ଗୃହମନ୍ତ୍ରୀ।
କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ ଦିଲ୍ଲୀର ବୁରାରି ଗ୍ରାଉଣ୍ଡରେ ଦେଶର ଏକାଧିକ କୃଷକ ସଂଗଠନର ୪ଶହରୁ ଅଧିକ ଚାଷୀ ଏକାଠି ହୋଇସାରିଛନ୍ତି। ଆହୁରି ଶହ ଶହ ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।
ଦିଲ୍ଲୀରେ ପ୍ରବେଶ ଏବଂ ବୁରାରୀ ପଡିଆରେ ସମାବେଶ ପାଇଁ ସରକାର ଅନୁମତି ଦେବା ପରେ ଚାଷୀଙ୍କ ଭିଡ ଜମିବାରେ ଲାଗିଛି। ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଚାଷୀ ରାଜି ହୋଇଛନ୍ତି। ଆଉ ଚାଷୀଙ୍କ ଆନ୍ଦୋଳନ ଉପରେ କେନ୍ଦ୍ର ସରକାର କଡା ନଜର ରଖିଛନ୍ତି। କାରଣ, ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ସରକାର।
ଗତ ୪ ଦିନ ହେଲା ଟ୍ରକ୍ ଓ ଟ୍ରାରରେ ଭର୍ତ୍ତି ହୋଇ ଚାଷୀ ଦିଲ୍ଲୀ ଅଭିଯାନରେ ବାହାରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଚାଷୀ ପଡୋଶୀ ପଂଜାବ, ହରିଆଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନର।
ଡ୍ରମ ବଜାଇ, ଗୀତ ଗାଇ ଏବଂ ସ୍ଲୋଗାନ ଦେଇ ଶହ ଶହ ଚାଷୀ ପ୍ରତିବାଦ ଜଣାଉଛନ୍ତି। ସେପଟେ ପ୍ରତିବାଦ ଜଣାଇବାକୁ ଦିଲ୍ଲୀ ପହଁଚିଥିବା ଚାଷୀ ହରିଆଣାର ନୁହେଁ ବରଂ ପଂଜାବର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏହାରି ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଡିସେମ୍ବର ୩ ତାରିଖରେ ସେମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଛି।