ଅମିତ ଶାହଙ୍କୁ ସ୍ୱାଇନ୍ ଫ୍ଲୁ , ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ସ୍ୱାଇନ୍‌ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏମ୍‌ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସମ୍ପର୍କରେ ଅମିତ ଶାହ ନିଜେ ଟ୍ୱିଟ୍‌ ଯୋଗେ ସମସ୍ତଙ୍କୁ ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି।

ତେବେ ଅସୁସ୍ଥତା ଯୋଗୁ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଛି। ଏହି ସୂଚନା ଦେଇଛନ୍ତି, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ଆସନ୍ତା ୧୮ ତାରିଖରେ କଟକ ଆସିଥାନ୍ତେ ଅମିତ ଶାହ।

ସେ କହିଛନ୍ତି,“ମୋତେ ସ୍ୱାଇନ୍‌ ଫ୍ଲୁ ହୋଇଛି। ଯାହାର ଚିକିତ୍ସା ଏବେ ଚାଲିଛି। ଈଶ୍ୱରଙ୍କ କୃପା ଓ ଆପଣମାନଙ୍କ ଆର୍ଶୀବାଦରେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି।”

ଖବର ଅନୁଯାୟୀ, ଶ୍ରୀ ଶାହଙ୍କୁ ଏମ୍‌ସର ୩୦୧ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ସେଠାରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି।

ଆଜି ଶ୍ରୀ ଶାହ ପ୍ରଥମେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ରାତି ପ୍ରାୟ ୯ଟା ବେଳେ ଏମ୍‌ସକୁ ନିଆଯାଇଥିଲା।

 

You might also like