ଦେଶରେ ଲାଗୁହେବ କି ଲକଡାଉନ୍‌? ଏନେଇ ଏମିତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା

ପୁଣି ଫେରିବ କି ଲକଡାଉନ୍‌?

ନୂଆଦିଲ୍ଲୀ: ଚିନ୍ତା ବଢାଉଛି କରୋନା। ଦେଶରେ ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି। ସ୍ଥିତି ସଙ୍ଗୀନ ହେଉଥିବା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। କେମିତି କରୋନାକୁ ରୋକାଯାଇପାରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। କହିବାକୁ ଗଲେ ମୁଣ୍ଡ ବଥାର କାରଣ ସାଜିଛି ଏହି ଅଦୃଶ୍ୟ ଭୟଙ୍କର ମହାମାରୀ। ପ୍ରତିଦିନ ସଂକ୍ରମଣର ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସମୟରେ ଦେଶର ୧୨ଟି ରାଜ୍ୟରେ ସ୍ଥିତି ଭୟାନକ ହେଲାଣି।

ମହାରାଷ୍ଟ୍ର, ଗୁଜୁରାଟ୍‌ ଓ ଛତିଶଗଡ଼ରୁ ଯେଉଁ ଚିତ୍ର ଆସୁଛି ତାହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ହେଲାଣି। ଆଉ ଏହାରି ମଧ୍ୟରେ ମହାରାଷ୍ଟ୍ରରେ ନିତିଦିନ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଏବେ ଚିନ୍ତାରେ ଉଦ୍ଧବ ସରକାର। ଆଉ କରୋନା ଚେନ୍‌ ଭାଙ୍ଗିବାକୁ ଅନେକ ସ୍ଥାନରେ ଲକଡାଉନ ଓ ସଟଡାଉନ କରାଗଲାଣି। ଆଉ ଏହାରି ମଧ୍ୟରେ କେନ୍ଦ୍ର ସରକାର ପୂର୍ବ ବର୍ଷ ପରି ପୁଣି ଥରେ ଲକଡାଉନ ଓ ସଟଡାଉନ କରିବେ କି? ଯଦି କରିବେ କେବେଠାରୁ କରିବେ? ଏହାକୁ ନେଇ ସାଧାରଣ ବେଶ୍‌ ଚର୍ଚ୍ଚା ଧରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା। ସେ କହିଛନ୍ତି , ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇଛି ଏହାକୁ କେହି ମନା କରୁନାହାନ୍ତି। କିନ୍ତୁ କରୋନା ଚେନ୍‌କୁ ଭାଙ୍ଗିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ଲକଡାଉନ କରିବା ଲାଗି ବର୍ତ୍ତମାନ ସ୍ଥିତିରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ଏହାସହ ଶାହା କହିଛନ୍ତି, ଏହି ସମୟରେ ଆମ ପାଖରେ କରୋନାର ମୁକାବିଲା ଲାଗି ଟିକାଠାରୁ ଆରମ୍ଭ କରି ଔଷଧ ମଧ୍ୟ ଗଚ୍ଛିତ ରହିଛି। ତେଣୁ ଆମେ ସଚେତନ ହେଲେ କରୋନାକୁ ମୁକାବିଲା କରିପାରିବା। ସାମାଜିକ ଦୂରତାଠାରୁ ଆରମ୍ଭ କରି ମାସ୍କ ପିନ୍ଧିବା ସହ ସରକାର ଯେଉଁ ନିୟମ କରୁଛନ୍ତି ତାହାକୁ ମାନିଲେ କରୋନାଠାରୁ ଆମେ ରକ୍ଷା ପାଇପାରିବା ବୋଲି ଅମିତ୍‌ ଶାହା କହିଛନ୍ତି।

ଏହାସହ ଆମେ ମାନେ ପ୍ରତିଦିନ ଦେଶର ସମସ୍ୟ ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ ହେଉଛି। ତେଣୁ ସ୍ଥିତି ଦେଖି ନିଷ୍ପତ୍ତି ହେବ ବୋଲି ଶାହା କହିଛନ୍ତି। ଏହାସହ ଗୃହମନ୍ତ୍ରୀ କହିଛନ୍ତି , କରୋନାକୁ ନେଇ ଏବେ ସାରା ଦେଶର ଲୋକ ଚିନ୍ତିତ ଅଛନ୍ତି ମୁଁ ମଧ୍ୟ ଚିନ୍ତିତ ଅଛି। କିନ୍ତୁ ଆମେ ସଚେତନ ହେଲେ କରୋନାକୁ ନିଶ୍ଚିତ ହରାଇପାରିବା ବୋଲି ଶାହା କହିଛନ୍ତି।

You might also like