ଚୋରି ଗାଡ଼ି କୋରିଅରରେ ଫେରିଆସିଲା
ଚେନ୍ନାଇ: ଗାଡ଼ି ଚୋରି ଆମ ଦେଶରେ ନୂଆ ନୁହେଁ। ହେଲେ ଥରେ ଭାବନ୍ତୁ ତ, ଗାଡ଼ି ଚୋରି ହୋଇଯାଇଥିବ, ଆଉ କିଛି ଦିନ ପରେ କୋରିଅରରେ ଆସି ଘରେ ପହଞ୍ଚିଯିବ ! ଅସମ୍ଭବ । କାରଣ ଏମିତି ଭଦ୍ର ଚୋର କେହି ନାହିଁ , ଯିଏ ଗାଡ଼ି ଚୋରି କରି ଫେରାଇବ !
ଏଠ କିନ୍ତୁ ଗାଡ଼ି ଚୋରି ହେଲା, ପୁଣି କୋରିଅରରେ ଫେରି ଆସିଲା। ଘଟଣା ଘଟିଛି ତାମିଲନାଡ଼ୁର ସୁଲ୍ଲୁର ଜିଲ୍ଲାରେ।
୨ ସପ୍ତାହ ତଳେ ୩୪ ବର୍ଷୀୟ ସୁରେଶ କୁମାର ତାଙ୍କ ଗାଡ଼ି ଗୋଟିଏ ୱାର୍କଶପ ସାମ୍ନାରେ ପାର୍କିଂ କରିଥିଲେ। ହଠାତ୍ ସେଠାରୁ ଗାଡ଼ି ଗାଏବ ହୋଇଗଲା। ଏ ନେଇ ସେ ଏକ ମାମଲା ଦାଏର କରାଇଥିଲେ। ହେଲେ ପୋଲିସ କରୋନା ମୁକାବିଲା ନେଇ ବ୍ୟସ୍ତ ଥିବାରୁ ଲକ୍ ଡାଉନ ପରେ ଘଟଣାର ତଦନ୍ତ କରିବ ବୋଲି କହିଥିଲା।
ପୋଲିସର କଥା ଶୁଣି ଭାଙ୍ଗି ପଡ଼ିଥିଲେ ସୁରେଶ କୁମାର। ହେଲେ ଉଦ୍ୟମରୁ ବିରତ ହୋଇ ନ ଥିଲେ। ନିଜ ଉଦ୍ୟମରେ ଗାଡ଼ିର ଖୋଜଖବର ନେଉଥିଲେ। ଆଖପାଖରେ ଥିବା ସିସିଟିଭି ଫୁଟେଜ ଦେଖିଲେ। ଏକ ଫୁଟେଜରେ ଦେଖିଲେ ତାଙ୍କ ଗାଡ଼ି ଉପରେ କେହି ଜଣେ ବସିଛି ଏବଂ କିଛି ସମୟ ପରେ ଏହାକୁ ନେଇ ଯାଉଛି। ସେ ଭିଡିଓ ଫୁଟେଜକୁ ନିଜ ଫୋନ୍ରେ ନେଇ ଆଖପାଖ ଲୋକଙ୍କୁ ଦେଖାଇଲେ। କାଳେ କିଏ ଚିହ୍ନିଥିବ ! ସୁରଶଙ୍କ ଉଦ୍ୟମ ସଫଳ ହେଲା। ଜଣେ ପଡ଼ୋଶୀ ଚୋରକୁ ଚିହ୍ନି ପାରିଲେ।
ସୁରେଶ ଜାଣିବାକୁ ପାଇଲେ, ବ୍ୟକ୍ତି ଜଣକ ମୁନ୍ନାରଗୁଡିର ପାରାସ ନାଥ । ସେ କନ୍ନମପାଲୟମ ପିରିବୁର ଏକ ବେକରୀ ଫ୍ୟାକ୍ଟ୍ରିରେ କାମ କରନ୍ତି। ଲକ୍ଡାଉନ ଯୋଗୁ ସେ ଏଠାରେ ଫସି ଯାଇଥିଲେ। କିଛି ଉପାୟ ନ ପାଇ ବୋଧହୁଏ ଗାଡ଼ି ନେଇ ପଳାଇଥାଇ ପାରନ୍ତି ବୋଲି ସେ ଭାବିଲେ । ଅନ୍ୟପକ୍ଷେ ପାରସନାଥ ଯେତେବେଳେ ଜାଣିଲେ, ଗାଡ଼ି ମାଲିକ ତାଙ୍କୁ ଚିହ୍ନି ସାରିଲେଣି, ସେ ଗାଡ଼ି ଫେରାଇ ଦେବାକୁ ନିଷ୍ପତ୍ତି ନେଲେ।
ପାରସନାଥ ଗାଡ଼ିକୁ କୋରିଅରରେ ପଠାଇ ଦେଲେ। ସୁରେଶ କହିଛନ୍ତି, ଯେତେବେଳେ ତାଙ୍କ ପାଖକୁ କୋରିଅର ଫାର୍ମରୁ ଫୋନ ଆସିଲା, ସେ ଆଶ୍ଚର୍ଯ୍ୟ ହୋଇଗଲେ। ବାଇକ୍ ମିଳି ଯାଇଥିବା ଶୁଣି ସେ ବହୁତ ଖୁସି ହୋଇ ଯାଇଥିଲେ। ତେବେ ଟ୍ରାନ୍ସପୋର୍ଟେସନ୍ ଚାର୍ଜ ପାଇଁ ତାଙ୍କୁ ୧୪୦୦ ଟଙ୍କା ଦେବାକୁ ପଡ଼ିଥିଲା। ସବୁଠାରୁ ଖୁସିର କଥା, ତାଙ୍କ ବାଇକ୍ର ଅବସ୍ଥା ଭଲ ଅଛି।
ବାଇକ୍ ପାଇବା ପରେ ସୁରେଶ କୁମାର ପୋଲିସକୁ ସୂଚନା ଦେଇ ମାମଲା ପ୍ରତ୍ୟାହାର କରି ଦେଇଥିଲେ।