ଫାଇଜର ଭାକ୍ସିନକୁ ମିଳିଲା WHOର ଅନୁମତି
ନୂଆଦିଲ୍ଲୀ: ଫାଇଜର-ବାୟୋଟେକ୍ ପ୍ରସ୍ତୁତ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିଛି । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମତି ମିଳିଛି। ଫାଇଜର ଟିକାର ମାନ, ନିରାପତ୍ତା ଓ କେତେ ମାତ୍ରାରେ ଫଳପ୍ରଦ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ WHO ପକ୍ଷରୁ ଏପରି ଘୋଷଣା କରାଯାଇଛି । ତେବେ ଫାଇଜର ଟିକାକୁ ରଖିବା ପାଇଁ ମାଇନସ ୬୦ରୁ ୯୦ ଡିଗ୍ରୀ ମଧ୍ୟରେ ରଖିବାକୁ ପଡୁଥିବାରୁ ଏହା ଅନେକ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ତେବେ WHO ଫାଇଜରକୁ ଅନୁମତି ଦେବା ପରେ ଅନେକ ଦେଶରେ ଏହି ଭାକ୍ସିନ ବିତରଣ ପାଇଁ ଅନୁମତି ମିଳିପାରେ। ଆମେରିକା ବ୍ୟତୀତ ମଧ୍ୟ-ପୂର୍ବ ଏବଂ ୟୁରୋପର ଅନେକ ଦେଶରେ ମଧ୍ୟ ଫାଇଜର ଟିକା ବ୍ୟବହାର କରାଯିବ। WHOର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, କୋଭିଡ-୧୯ ଟିକା ବିଶ୍ୱବାସୀଙ୍କ ପାଇଁ ପହଞ୍ଚାଇବା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ। ପୃଥିବୀର ସମସ୍ତ ଲୋକଙ୍କ ପାଖରେ ଖୁବ ଶୀଘ୍ର ଏହି ଟିକା ପହଞ୍ଚାଇବା ନିହାତି ଜରୁରୀ ।
ଏଠି କହିରଖିବୁ, WHO ତା’ର ବିଶେଷଜ୍ଞ ଟିମ୍ଠାରୁ ଟିକା ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ପରେ ଫାଇଜରକୁ ଅନୁମତି ଦେଇଛି। ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏହି ଭାକ୍ସିନ ସୁରକ୍ଷା ଦୃଷ୍ଟିରୁ ଏହା ଠିକ୍ ପ୍ରମାଣିତ ହୋଇଛି। କରୋନା ଭାଇରସ ଦ୍ୱାରା ପୃଥିବୀର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ହେଉଛି ଆମେରିକା। ଆମେରିକାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷରୁ ଅଧିକ ଲୋକଙ୍କୁ ଫାଇଜର କମ୍ପାନୀ ଭାକ୍ସିନ ଦିଆଯାଇ ସାରିଲାଣି। ଆମେରିକାରେ ଏହି ଟିକାକରଣ କାମ ଡିସେମ୍ବର ୨ୟ ସପ୍ତାହରୁ ଆରମ୍ଭ ହୋଇଛି। ତେବେ ଆମେରିକାରେ ଏହି ଟିକା ନେବା ପରେ ଆଲର୍ଜି ହେଉଥିବା ଅଭିଯୋଗ ଆସିବେ ପରେ ଏଫଡିଏ ୫ଟି ମାମଲାକୁ ନେଇ ଯାଞ୍ଚ କରୁଛି।
ଅନ୍ୟପକ୍ଷେ ଆମେରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିବେନ୍ଶନ ସେଣ୍ଟର ପକ୍ଷରୁ ଚେତାବନୀ ଜାରି କରାଯାଇଛି ଯେ କରୋନା ଟିକା ନେବା ପରେ ଯେଉଁମାନଙ୍କ ପାଖରେ ଆଲର୍ଜି ଲକ୍ଷଣ ଦେଖା ଦେଇଛି ସେମାନେ ଦ୍ୱିତୀୟ ଡୋଜ୍ ନେବେ ନାହିଁ।
ସୂଚନାଥାଉ କି, ଫାଇଜନର ଭାକ୍ସିନକୁ ୮ଟି ଦେଶ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ବ୍ରିଟେନ ବ୍ୟତୀତ କାନାଡା, ବାହାରୀନ, ଆମେରିକା, ମେକ୍ସିକୋ, ମଲେଶିଆ ଏବଂ ସ୍ୱିଜରଲାଣ୍ଡ ସହ ଇଜରାଏଲ୍ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛି। ଦୈନିକ ୬୦ ହଜାର ଲୋକଙ୍କୁ ଟିକା ଦେବା ପାଇଁ ଇଜରାଏଲ ଲକ୍ଷ୍ୟ ରଖିଛି।
ତେବେ ଏହି ଭାକ୍ସିନକୁ ନେଇ ଗୋଟିଏ ଚିନ୍ତା ରହିଛି। ଏହି ଭାକ୍ସିନକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ରଖିବା ଆବଶ୍ୟକ। ଅନ୍ୟପକ୍ଷେ ମାଡର୍ନା ଭାକ୍ସିନ ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ରହି ପାରିବ।