କୋଭିଡ-୧୯ର ଉତ୍ପତ୍ତି ସ୍ପଷ୍ଟ ନହେଲେ କୋଭିଡ-୨୬ ଓ କୋଭିଡ-୩୨ ଭୋଗିବାକୁ ପଡ଼ିବ: ବିଶେଷଜ୍ଞ

ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ ହେଲେ ଏହାର ଉତ୍ପତ୍ତି ସ୍ଥଳ ଜାଣିବାକୁ ହେବ । ଏଥିପାଇଁ ଚୀନ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଆବଶ୍ୟକ । ଯଦି ଏହା ନହୁଏ ତେବେ ବିଶ୍ୱକୁ କୋଭିଡ-୨୬ ଏବଂ କୋଭିଡ-୩୨ର ଦଶା ଭୋଗିବାକୁ ପଡ଼ିବ ।

କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ନେଇ ତନାଘନା ହେବା ପରେ, ଚୀନ ହରଡ଼ଘଣାରେ ପଡ଼ିଛି । ଏହି ଭୂତାଣୁ ଚୀନରୁ ସାରା ବିଶ୍ୱକୁ ବ୍ୟାପିଛି, ଏହି କଥା ସତ । ତେବେ ଲ୍ୟାବରୁ ତିଆରି ହୋଇଛି ନା ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଅନେକ ଦେଶ ଆଶଙ୍କା କରୁଛନ୍ତି ଏହା ଲ୍ୟାବରୁ ହିଁ ବାହାରିଛି । ଏହା ଉପରେ ବିଭିନ୍ନ ଦେଶ, ଯେତେ ଅଧିକ ଜୋର ଦେଉଛନ୍ତି ଚୀନ ଉପରେ ସେତେ ଚାପ ପଡ଼ୁଛି ।

 ଟ୍ରମ୍ପ ସରକାର ବେଳେ ଖାଦ୍ୟ ଏବଂ ଔଷଧ ନିଗମର କମିଶନର ଥିବା ତଥା ବର୍ତ୍ତମାନ ଫାଇଜର କମ୍ପାନୀର ବୋର୍ଡ ସଦସ୍ୟ ସ୍କଟ ଗାଣ୍ଟଲିବ କହିଛନ୍ତି ଯେ, ଚୀନ୍‌ର ଉହାନ ଲ୍ୟାବରୁ କରୋନା ଭୂତାଣୁ ବାହାରିଥିବା ନେଇ ଏବେ ଅନେକ ତଥ୍ୟ ରହିଛି । ଏକ ଟିଭି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଚୀନ ଏପର୍ଯ୍ୟନ୍ତ ଏଭଳି କୌଣସି ପ୍ରମାଣ ଦେଇନାହିଁ, ଯାହାକି ଉହାନ ଲ୍ୟାବରୁ କରୋନା ଭୂତାଣୁ ବାହାରି ନାହିଁ ବୋଲି କହି ହେବ । ଅନ୍ୟପକ୍ଷରେ, ଏହା ମଧ୍ୟ ନିଶ୍ଚିତ ହୋଇନାହିଁ ଯେ, ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଛି ।

ଅନ୍ୟ ଏକ ଟିଭି କାର୍ଯ୍ୟକ୍ରମରେ ଟେକ୍ସାସ୍ ଚିଲଡ୍ରେନ ହସପିଟାଲ୍ ସେଣ୍ଟର ଫର ଭ୍ୟାକ୍ସିନ୍ ଡେଭଲପମେଣ୍ଟର ସହ-ନିର୍ଦ୍ଦେଶକ ପିଟର ହୋଟେଜ୍ କହିଛନ୍ତି ଯେ, ମହାମାରୀ ଉତ୍ପତ୍ତି ଯଦି ସ୍ପଷ୍ଟ ନହୁଏ ତେବେ ଭବିଷ୍ୟତରେ ଏହା ବିଶ୍ୱରେ ବାରମ୍ବାର ଏପରି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ସେ ଆହୁରି କହିଛନ୍ତି ଯେ, କୋଭିଡ -୧୯ର ଉତ୍ପତ୍ତି ଯେତେଦିନ ପର୍ଯ୍ୟନ୍ତ ଆମେ ଜାଣିବା ନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ଏହିଭଳି କୋଭିଡ -୨୬ ଏବଂ କୋଭିଡ -୩୨ର ସାମ୍ନା କରିବାକୁ ପଡିବ । ପ୍ରାୟ ଦେଢ଼ ବର୍ଷ ପୂର୍ବେ ଚାଇନାର ଉହାନ ସହରର ମାଛ ବଜାରରୁ ଏହି ଭୂତାଣୁ ବ୍ୟାପିବା ଆରମ୍ଭ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ ଯେ, ଏହି ଭୂତାଣୁ କେଉଁଠାରୁ ଆସିଛି । ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ବୋଧହୁ କୌଣସି ବନ୍ୟଜନ୍ତୁଙ୍କଠାରୁ ଏହି ଭାଇରସ ମନୁଷ୍ୟକୁ ବ୍ୟାପିଛି । ଅନ୍ୟପଟେ ପୂର୍ବରୁ ଟ୍ରମ୍ପ ପ୍ରଶାସନ ଦାବି କରୁଥିଲା ଯେ, ଉହାନ ଲ୍ୟାବରୁ ହିଁ ଏହି ଭାଇରସ ବାହାରିଛି । ଆଉ ଏବେ ବାଇଡେନ ପ୍ରଶାସନ ମଧ୍ୟ ଏହି ଦାବି ଉପରେ ଜୋର ଦେଉଛି ।

ତେବେ ଚୀନ ଅଧିକାରୀମାନେ ଲ୍ୟାବରୁ ଭାଇରସ୍ ବାହାରିଥିବା ଦାବିକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ନିକଟରେ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ, ବାଇଡେନଙ୍କ ତରଫରୁ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଆମେରିକାର ଏକ ରାଜନୀତି କେବଳ । ଚଳିତ ବର୍ଷ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ କହିଛି ଯେ, ଚୀନ୍‌ ଲ୍ୟାବରୁ ଏହି ଭାଇରସ ବ୍ୟାପିବାର ସମ୍ଭାବନା ନାହିଁ । ଅନ୍ୟପଟେ WHO କହିଛି ଯେ ମହାମାରୀର ଉତ୍ପତ୍ତି ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ ।

You might also like