ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ-ପାକିସ୍ତାନ ଉପରେ ନିର୍ଭର କରେ: ବାଇଡେନ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ, ପାକିସ୍ତାନ, ଋଷ, ଚୀନ୍ ଏବଂ ତୁର୍କୀ ଉପରେ ନିର୍ଭର କରେ। ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ପାଇଁ ଏହି ଦେଶମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ଦେଶମାନେ ଅଧିକ ଚେଷ୍ଟା କରିବା ଆବଶ୍ୟକ। ମିଳିଥିବା ସୂଚନାନୁଯାୟୀ, ଆମେରିକା ୧୧ ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟମାନଙ୍କୁ ଫେରାଇ ନେବ।

ଜୋ ବାଇଡେନ ଜାତୀୟ ସମ୍ବୋଧନ ବେଳେ କହିଛନ୍ତି ଯେ, ଆମେ ଏହି ଅଞ୍ଚଳରେ ଥିବା ଅନ୍ୟ ଦେଶମାନଙ୍କୁ ଆଫଗାନିସ୍ତାନକୁ ସମର୍ଥନ କରିବାକୁ କହିବୁ। ବିଶେଷ କରି ପାକିସ୍ତାନ ଏଥିପ୍ରତି ଗୁରୁତ୍ୱ ଦେବା କଥା। ଏହାସହ ରୁଷ, ଚୀନ୍, ଭାରତ ଏବଂ ତୁର୍କୀକୁ ମଧ୍ୟ ଆମେ ‍ଆଫଗାନିସ୍ତାନକୁ ସହଯୋଗ କରିବା ପାଇଁ କହିବୁ। ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ପାଇଁ ଏହି ଦେଶମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବାର ୧୦୦ ଦିନ ଭିତରେ ଜୋ ବାଇଡେନ ଏହି ବଡ଼ ନିଷ୍ପତି ନେଇଛନ୍ତି। ସେ ୧୧ ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ‍ଆଫଗାନିସ୍ତାନରେ ପ୍ରାୟ ୨୫୦୦ ଆମେରିକୀୟ ସୈନିକ ନିୟୋଜିତ ଅଛନ୍ତି। ତେବେ ବାରାକ ଓବାମାଙ୍କ ସମୟରେ ଏଠାରେ ଏକ ଲକ୍ଷରୁ ଅଧିକ ସୈନିକ ନିୟୋଜିତ ଥିଲେ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର କହିଛନ୍ତି ଯେ, ଆଫଗାନିସ୍ତାନରେ ଆମେରିକାର ସବୁଠୁ ଦୀର୍ଘତମ ଲଢ଼େଇର ସମାପ୍ତ ହେବାର ସମୟ ଆସିଛି। ଏହା ଏକ ଏମିତି ଦାୟିତ୍ୱ ଯାହାକୁ ସେ ନିଜ ଉତ୍ତରାଧିକାରୀଙ୍କୁ ଦେବାକୁ ଚାହୁଁନାହାଁନ୍ତି। ସେ କହିଛନ୍ତି, ‘ସମସ୍ତ ସହଯୋଗୀ, ସହଭାଗୀ ଏବଂ ସାମରିକ ନେତା ତଥା ଗୁଇନ୍ଦା ବିଭାଗ, କୂଟନୀତିଜ୍ଞ ଏବଂ ଉପରାଷ୍ଟ୍ରପତିଙ୍କ ସହ ବିଚାର ବିମର୍ଶ ପରେ ସେନା ପ୍ରତ୍ୟାହାର ନେଇ ନିଷ୍ପତି ନିଆଯାଇଛି। ଏଥିରେ ସମସ୍ତଙ୍କ ସହମତି ରହିଛି। ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛୁ। ଆଫଗାନିସ୍ତାନରେ ଆମେରିକାର ଏହା ଦୀର୍ଘତମ ଯୁଦ୍ଧର ସମାପ୍ତି। ଆମେରିକୀୟ ସୈନ୍ୟମାନେ ଏବେ ନିଜ ଘରକୁ ଫେରିବାର ସମୟ ଆସିଛି।

ସେ ଆହୁରି କହିଛନ୍ତି ଯେ ଆମେରିକା ସେଠାରୁ ବାହାରିବା ପାଇଁ କୌଣସି ପ୍ରକାର ତତ୍ପର ନୁହେଁ। ସେ କହିଛନ୍ତି ଯେ ଆମେରିକା ସୈନ୍ୟ ଆଫଗାନିସ୍ତାନରେ ସାମରିକ ଶକ୍ତି ଭାବେ ଯୋଗ ଦେବେ ନାହିଁ, କିନ୍ତୁ ଏହାର କୂଟନୈତିକ ଏବଂ ମାନବିକତା କାର୍ଯ୍ୟ ଜାରି ରହିବ। ଆମେରିକା, ଆଫଗାନିସ୍ତାନ ସରକାରଙ୍କୁ ସମର୍ଥନ ଜାରି ରଖିବ।

You might also like