ପାକିସ୍ତାନ ଉପରେ ଅାମେରିକା ଲଗାଇଲା ଅାର୍ଥିକ କଟକଣା

ଇସ୍‌ଲାମାବାଦ୍‌: ଇମ୍ରାନ ସରକାରକୁ ଅାମେରିକାର ଝଟ୍‌କା। ଅାତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚେତାବନୀ ପରେ ଅାମେରିକା ନେଇଛି କଡା ପଦକ୍ଷେପ। ଅାମେରିକା ପାଖାପାଖି ୩୦୦ ମିଲିୟନ ଡଲାରର ଅାର୍ଥିକ ସହାୟତା ବନ୍ଦ କରିଦେଇଛି। ଅାତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ବିଫଳତା ପରେ ଟ୍ରମ୍ପ ପ୍ରଶାସନ ନେଇଛି ଏଭଳି ଚରମ ନିଷ୍ପତ୍ତି। ଏଥିସହ ଅାଫଗାନିସ୍ତାନରେ ଦୀର୍ଘ ୧୭ ବର୍ଷର ଯୁଦ୍ଧ ପାଇଁ ପାକିସ୍ତାନକୁ ଦାୟୀ କରିଛି ଅାମେରିକା।

ସେପଟେ ପାକିସ୍ତାନର ନୂଅା ସରକାର ଅାମେରିକାର ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ପ୍ରଶାସନ ସହ ପାକିସ୍ତାନର ସମ୍ପର୍କ ତିକ୍ତ ହେବା ଏହା ପ୍ରଥମ ଥର ନୁହେଁ , ପୂର୍ବରୁ ମଧ୍ୟ ଅାମେରିକା ପାକିସ୍ତାନକୁ ଦେଉଥିବା ସାମରିକ ସହାୟତା ବନ୍ଦ କରି ଦେଇଛି। ପାକିସ୍ତାନର ଅାର୍ଥିକ ସ୍ଥିତି ବର୍ତ୍ତମାନ ସେତେ ସୁଦୃଢ ନାହିଁ। ତେଣୁ ଅାମେରିକାର  କଟକଣା ଦ୍ୱାରା ସେନାର ଅାଧୁନିକୀକରଣ ଉପରେ ଏହାର ପ୍ରଭାବ ପଡିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି।

ସେପଟେ ଅାମେରିକା ସହ ସମ୍ପର୍କ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ଇମ୍ରାନ ଖାନ୍।  ଅାମେରିକା ବୈଦେଶିକ ମନ୍ତ୍ରୀଙ୍କୁ ପାକିସ୍ତାନକୁ ସେ ଅାମନ୍ତ୍ରଣ କରିଛନ୍ତି। ଏଥିପାଇଁ ଅାସନ୍ତା ୫ରେ ଅାମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ପାକିସ୍ତାନ ଅାସୁଥିବା ସୂଚନା ମିଳିଛି।

You might also like