ଗୁରୁଗ୍ରାମରୁ ଲୁଧିଆନା ଗଲେ କରୋନା ରୋଗୀ, ୧.୨୦ ଲକ୍ଷ ଭଡ଼ା ଆଦାୟ କଲେ ଆମ୍ବୁଲାନ୍ସ ଡ୍ରାଇଭର

ମହାମାରୀ ମାରୁଛି ମାନବିକତା

ଗୁରୁଗ୍ରାମ: ମହାମାରୀ ଭୟ ମାରିଦେଉଛି ମାନବିକତା । ସାଇବର ସିଟି ଗୁରୁଗ୍ରାମରେ ଘଟିଛି ଲଜ୍ୟାଜନକ ଘଟଣା । କରୋନା ରେୀଗୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଗୁରୁଗ୍ରାମରୁ ଲୁଧିଆନା ଯିବାପାଇଁ କରୋନା ସଂକ୍ରମିତ ରୋଗୀଙ୍କ ଠାରୁ ୧.୨୦ ଲକ୍ଷ ଟଙ୍କା ଭଡ଼ା ଆଦାୟ କରିଛନ୍ତି । ଏନେଇ ରୋଗୀର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଏପରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋଗୀ ପରିବାରକୁ ଆଶ୍ୱାସନା ଦିଆଯାଇଛି।

ଗୁରୁଗ୍ରାମରୁ ଲୁଧିଆନା, ଆମ୍ବୁଲାନ୍ସ ଭଡ଼ା ଏକ ଲକ୍ଷ କୋଡିଏ ହଜାର ଟଙ୍କା । କରୋନାରେ ସଂକ୍ରମିତ ହୋଇ ଛଟପଟ ହେଉଥିବା ରୋଗୀର କଷ୍ଟ ଦେଖାଗଲାନି । ମାନବିକତା ଭୁଲି ରୋଗୀକୁ ହସ୍ପିଟାଲ ନେଇଯିବା ପାଇଁ ଲକ୍ଷେ ଟଙ୍କା ମାଗିଲେ ଡ୍ରାଇଭର । ଘରେ ପଡ଼ି ପଡ଼ି ଛଟପଟ ହେଉଥିବା ମଣିଷର ଯନ୍ତ୍ରଣା ଦେଖିନପାରି ଡ୍ରାଇଭରର ଦାବି ମୁତାବକ ଟଙ୍କା ଦେଲେ ପରିବାର ଲୋକ । ଅନ୍ୟପଟେ ପରିବାର ଲୋକ ପ୍ରଶାସନର ଅବହେଳା ପାଇଁ ମଧ୍ୟ ଖପ୍ପା ହୋଇଛନ୍ତି । କରୋନା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ପ୍ରଶାସନ ଜାରି କରାଯାଇଥିବା ନମ୍ବରକୁ ବାରମ୍ବାର କଲ କରାଯାଇଥିଲା । ହେଲେ କେହି ଫୋନ୍ ଉଠାଇଲେ ନାହିଁ । ଫଳରେ ବାଧ୍ୟ ହୋଇ ଆମ୍ବୁଲାନ୍ସ ଡ୍ରାଇଭରର ମନମାନୀ ସହିବାକୁ ପଡ଼ିଥିଲା ।

ମହାମାରୀ ସମୟରେ ଫାଇଦା ଉଠାଇବାର ଘଟଣା ଏହା ପ୍ରଥମ ନୁହେଁ । ଏହାପୂର୍ବରୁ ମଧ୍ୟ ସାଇବର ସିଟିରେ  ଅନେକ ଆମ୍ବୁଲାନ୍ସ ରୋଗୀଙ୍କ ପରିବାରକୁ ଏପରି ହଇରାଣ କରିବା ଘଟଣା ସାମ୍ନାକୁ ଆସିଛି । ଦେଶବାସୀ ଏବେ ମହାମାରୀ କରୋନା ସହ ଲଢୁ ଥିବାବେଳେ ଏଭଳି ସମୟରେ ହସ୍ପିଟାଲରେ କେଉଁଠି ବେଡ ମିଳୁନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖା ଦେଇଛି। ଆଉ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି।

କେଉଁଠି ୩ କି.ମି. ପାଇଁ ୧୦ ହଜାର ଟଙ୍କା ତ ଆଉ କେଉଁଠି ୨୫ କି.ମି. ପାଇଁ ୪୪ ହଜାର ଟଙ୍କା ଗାଡି ଭଡ଼ା ନିଆଯାଉଥିବା ନଜର ଆସିଛି। କିଛି ଦିନ ପୂର୍ବରୁ ନୋଏଡାରେ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା । ଯେଉଁଠି କରୋନା ଆକ୍ରାନ୍ତ ପରିବାର ଲୋକଙ୍କଠୁ ଆମ୍ବୁଲାନ୍ସ ଡ୍ରାଇଭର ୪୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ୫ କି. ମି. ପାଇଁ ୪୪ ହଜାର ଟଙ୍କା ଭଡ଼ା ମାଗିଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ଏସମ୍ପର୍କରେ ପୋଲିସ ଜାଣିବା ପରେ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ୍ ।

You might also like